“ଏକ୍ ପେଡ୍ ମା’ କେ ନାମ୍ ”ଅଭିଯାନକୁ ଜନଆନ୍ଦୋଳନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

Key Points
ଶିକ୍ଷା କ୍ଷେତ୍ରରେ କୋରାପୁଟ ଜିଲ୍ଲାକୁ ବଡ଼ ଉପହାର
ଜିଲ୍ଲାର ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜୟପୁରରେ ପ୍ରଥମ କେଭିର ଲୋକାର୍ପଣ ସହ ସ୍ଥାୟୀ କ୍ୟାମ୍ପସର କଲେ ଭୂମିପୂଜନ
“ଏକ୍ ପେଡ୍ ମା’ କେ ନାମ୍ ”ଅଭିଯାନକୁ ଜନଆନ୍ଦୋଳନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ
କୋରାପୁଟରେ କଫି ବଗିଚା ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋରାପୁଟ ଜିଲ୍ଲାକୁ ମିଳିଲା ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ। ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜଗନ୍ନାଥ ସଦର ନିକଟରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪୭୯ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟରେ ବହୁ ଆକାଂକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ହେବ । ଏକ ନେଟ୍ ଜିରୋ କ୍ୟାମ୍ପସ୍ ହେବାକୁ ଯାଉଛି ଏହି ବିଦ୍ୟାଳୟ। ଯେଉଁଠାରେ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ହେବ। ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ କୋରାପୁଟ ସହ ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଶିକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ବ ସହ ସବୁ ଭାଷାକୁ ସମ୍ମାନ ମିଳିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋଲୁଳାନନ୍ଦ ମଲ୍ଲିକ୍, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ପବିତ୍ର ‘ସୁନାବେଶ’ ଅବସରରେ କୋରାପୁଟରେ “ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନ ଓ ବନ ମହୋତ୍ସବରେ ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ ଓ ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିବା ସହ କୋରାପୁଟରେ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ କୋରାପୁଟ ସ୍ଥିତ କଫି ଗାର୍ଡେନ୍ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ।
2 ଦିନିଆ କୋରାପୁଟ ଗସ୍ତ ଅବସରରେ କୋରାପୁଟରେ ମହିମା ଧର୍ମାବଲମ୍ବୀ ସାଧୁଙ୍କୁ ସାକ୍ଷାତ କରିବା ସହ ସ୍ଥାନୀୟ ଦିବ୍ୟାଙ୍ଗ ଶିଳ୍ପୀ ସୁଧାକର ପ୍ରଧାନଙ୍କ ଉପହାର ଗ୍ରହଣ କରିଛନ୍ତି ଧର୍ମେନ୍ଦ୍ର । ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବାକୁ ଯାଉଥିବାରୁ ରାଜ୍ୟ ବିକାଶରେ ଭାଗୀଦାର ହେବାକୁ ଜୟପୁରରେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।