Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

Key Points

ନିରଞ୍ଜନ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ । ସମାଜସେବାରେ ନିଜକୁ ସମର୍ପିତ କରିଥିଲେ ନିରଞ୍ଜନ ରଥ । ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବହୁତ ସରଳ। ‘ନ୍ୟାୟବତୀ’ ପତ୍ରିକାରୁ ଦୈନିକ ‘ସମାଜ’ର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ। ସାମ୍ବାଦିକତା, ଓକିଲାତି କରିବା ସହିତ ସମାଜସେବାରେ ସେ ଯେଉଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ତାହା ଚିର ସ୍ମରଣୀୟ ହୋଇରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କର ଗୁରୁବାର ରାତି ୧୧ଟା ବେଳେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା। ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସ୍ଥିତିରେ ଉନ୍ନତି ଘଟି ନ ଥିଲା। ଗୁରୁବାର ରାତିରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସକଙ୍କ ସୂତ୍ରରୁ ପ୍ରକାଶ। 

ସ୍ବର୍ଗତ ରଥ ଆଠଗଡ଼ର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ। ପିତା ପଣ୍ଡିତ ଚନ୍ଦ୍ରଶେଖର ରଥ ଓ ମାତା ଅନ୍ନପୂର୍ଣ୍ଣା ​ଦେବୀଙ୍କର ସେ ଥିଲେ ପଞ୍ଚମ ସନ୍ତାନ।​‌ ଆଇନ୍‌ରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍‌ଏ ପାସ୍‌ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସେ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ। ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ବେଙ୍ଗ କହେ ବେଙ୍ଗୁଲୀଲୋ…’ ସ୍ତମ୍ଭ ବେଶ୍‌ ପାଠକାଦୃତି ଲାଭ କରିଥିଲା। ସେ ମଧ୍ୟ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ ଭାବେ କାମ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ।


ଏବେ ନିକଟରେ ସେ ଦ୍ବିତୀୟଥର ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ଜିମ୍‌ସାର ପ୍ରତିଷ୍ଠାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ପାଞ୍ଚ ଭାଇ, ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ପରିବାରର ପଞ୍ଚମ ସନ୍ତାନ। ସେ ଅବିବାହିତ ରହିଥିଲେ। ସ୍ବର୍ଗତ ରଥ ଓଡ଼ିଶା ରାଜ୍ୟ ସ୍କାଉଟ୍‌ ଗାଇଡ୍‌ର ପୂର୍ବତନ ଉପସଭାପତି, ସୁଆଣ୍ଡୋ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂସ୍ଥାର ଅଧ୍ୟକ୍ଷ, ଆଠଗଡ ଆଇନ୍‌ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ପ୍ରିନ୍ସିପାଲ, ଆଠଗଡ ମହିଳା ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା, ପୁରୀ ସ୍ବର୍ଗଦ୍ବାର ନିକଟସ୍ଥ ସାତଆସନସ୍ଥିତ ମଦନମୋହନ ମଠ ଟ୍ରଷ୍ଟର ଉପାଧ୍ୟକ୍ଷ ଓ ନେହେରୁ ଯୁବକ କ୍ଲବର ସଭାପତି ଭଳି ବହୁ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନର ପଦପଦବୀରେ ସୁଚାରୁ କାର୍ଯ୍ୟ ସମ୍ପାଦନ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁବାର ରାତିରେ ତାଙ୍କ ମର ଶରୀରକୁ ହସ୍‌ପିଟାଲ୍‌ରେ ସଂରକ୍ଷିତ କରି ରଖାଯାଇଛି। ଶୁକ୍ରବାର ସକାଳୁ ପାର୍ଥିବ ଶରୀରକୁ ଆଠଗଡ଼ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯିବ। ସେଠାରୁ ମୃତ ଦେହକୁ ଆଠଗଡସ୍ଥିତ ମାଧପୁରର ଜିମ୍‌ସାର ନିଆଯିବ। ପରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ। ପରେ ସେଠାରୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଥିଲା।


ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିରୋଧୀଦଳର ବହୁ ବିଶିଷ୍ଟ ନେତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍‌ ଓ ଶ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Sponsored
dharmendra-pradhan-condoles-the-passing-of-loksevak-mandal-national-editor-niranjan-rath | Argus News