ଜନ ସମସ୍ୟାକୁ ପ୍ରାଥମିକତା ଏବଂ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

Key Points
- RPDAC ଓ DMF ଏବଂ MCLର ବୈଠକ
ତାଳଚେର ଓ ଛେଣ୍ଡିପଦା ବ୍ଲକରୁ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ
ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ କୋଲ ଇଣ୍ଡିଆକୁ ଧନ୍ୟବାଦ
ଅନୁଗୁଳ: ଲୋକଙ୍କ ସମସ୍ୟାକୁ ଦିଆଯିବ ପ୍ରାଥମିକତା । ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହେବ କାର୍ଯ୍ୟ । ଏନେଇ ଏମସିଏଲ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ (MCL) ପ୍ରକଳ୍ପର ୧୫ତମ ରିହାବିଲିଟେସନ ଆଣ୍ଡ୍ ପେରିଫେରି ଡେଭଲପମେଣ୍ଟ ଆଡଭାଇଜରି କମିଟି(RPDAC) ଏବଂ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡର ପୃଥକ ପୃଥକ ବୈଠକରେ ଯୋଗ ଦେଇଛନ୍ତି ।
ଅନୁଗୋଳ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକରେ ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଏବଂ କଲ୍ୟାଣକାରୀ ପ୍ରକଳ୍ପ ବିଷୟରେ ଚର୍ଚ୍ଚା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଡିଏମଏଫ ପାଣ୍ଠିରୁ ହୋଇଥିବା ଅର୍ଥ ବିନିଯୋଗ ତଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆନୁଷଙ୍ଗିକ ଭିତ୍ତିଭୂମି, ପରିବେଶ ସୁରକ୍ଷା, ଗମନାଗମନ ଭଳି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିଚାରବିମର୍ଶ କରିଛନ୍ତି ।
ବୈଠକ ପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନୁଗୁଳର ତାଳଚେର ଓ ଛେଣ୍ଡିପଦା ବ୍ଲକରୁ ପ୍ରାୟ ୧୦୦ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ହେଉଛି । ଚଳିତବର୍ଷ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । କୋଇଲାର ସବୁଠୁ ବଡ଼ କଞ୍ଚାମାଲ ହେଉଛି ଜମି ଏବଂ ସ୍ଥାନୀୟ ଅଞ୍ଚଳର ଜମି ଅଧିଗ୍ରହଣ କରିବାର ସ୍ପଷ୍ଟ ନୀତିର ନିର୍ଦ୍ଧାରଣ ମଞ୍ଚ ହେଉଛି ଆରପିଡିଏସି । ଲୋକଙ୍କ ସୁବିଧା ପାଇଁ ଏହି ବୈଠକ ଗତ ଫେବ୍ରୁଆରୀରେ ବସିଥିବା ବେଳେ ଆଜି ଏବଂ ଚଳିତବର୍ଷ ଶେଷରେ ବୈଠକ ହେବାର ନିଷ୍ପତ୍ତି ହୋଇଛି ।
ଲୋକମାନଙ୍କର ସବିଶେଷ ତଥ୍ୟକୁ ବିସ୍ତୁତ ଭାବେ ଜାଣିବା ପାଇଁ ଆରପିଡିଏସି ଦ୍ୱାରା ଅନେକ ନୀତି ନିର୍ଣ୍ଣୟ ହୋଇଛି । ଏଥିପାଇଁ ଏକ ବିଶେଷ କମିଟିର ମଧ୍ୟ ପରିକଳ୍ପନା ହୋଇଛି । ଲୋକଙ୍କ ସୁବିଧା ଅନୁସାରେ ଜମି ଅଧିଗ୍ରହଣ କରିବାର ବ୍ୟବସ୍ଥା କରିବା ଉପରେ ନୀତି ପ୍ରସ୍ତୁତ ହୋଇଛି । ଭାରତ ଓ ରାଜ୍ୟ ସରକାରଙ୍କ ଆଇନ୍ ଏବଂ ନୀତି ଅନୁସାରେ ଲୋକମାନେ ବା ବିସ୍ଥାପିତମାନେ ଅଧିକ ଉପକୃତ ହେବା ସହ ଅଧିକ କ୍ଷତିପୂରଣ ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ । ସମ୍ଭାବ୍ୟ ସହାୟତା ପାଇଁ କୋଲ୍ ଇଣ୍ଡିଆ ତରଫରୁ ମଧ୍ୟ ବ୍ୟବସ୍ଥା ହୋଇଛି । ବୈଠକରେ ପ୍ରଦୂଷଣ ରୋକିବା ସହ କୃତ୍ରିମ ଜଙ୍ଗଲ ସୃଷ୍ଟି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।
📱 Get Argus News App
✨ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାକୁ ସାକାର କରିବା ଲକ୍ଷ୍ୟରେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କୋଲ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୁଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଏବଂ ଅନୁଗୁଳ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଓ ଏମସିଏଲ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।