'ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର' ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ଗବେଷଣା କରିବ - ଧର୍ମେନ୍ଦ୍ର

Key Points
• ରଙ୍ଗବତୀ ମୌଳିକ ସଂସ୍କାରର ସାମୂହିକ ପ୍ରତିଫଳନ, ଓଡ଼ିଶାର ସଂସ୍କୃତି ତଥା ନିରନ୍ତର ପ୍ରବନ୍ଧନ ଉପରେ ବିଶ୍ୱସ୍ତରୀୟ ଗବେଷଣା କରାଯିବ
• ଓଡ଼ିଶାରେ ହୋଇଥିବା ସଶସ୍ତ୍ର ଏବଂ ଅହିଂସା ସ୍ୱାଧୀନତା ସଂଗ୍ରାମର ବହୁ ଅନାଲୋଚିତ ଘଟଣା ଏବଂ ସଂଗ୍ରାମୀଙ୍କ ଉପରେ ଉଚ୍ଚକୋଟୀର ଗବେଷଣା କରିବ
• ପୁସ୍ତକ ଉପରେ ସଚେତନତା ତିଆରି କରିବା ଉପରେ ପୁସ୍ତକ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ବୌଦ୍ଧିକ ଆଦାନ ପ୍ରଦାନରେ ନରଖି ସମ୍ବଲପୁର ପୁସ୍ତକ ମେଳାକୁ ଲୋକଉତ୍ସବ ପରିଣତ କରିବା ପାଇଁ କଲେ ଆହ୍ୱାନ
• ଆଜିର ପୁସ୍ତକ ମେଳା ଆମ ଭାଷାକୁ ସମୃଦ୍ଧ କରିବାରେ ସହାୟକ ହେବ
• ସମ୍ବଲପୁର ଅନେକ ଇତିହାସ ରଚନା କରିଛି, ସଂସ୍କୃତି ତିଆରି କରିଛି, ଏହି ଅଞ୍ଚଳର ଲୋକ ଅଭିବ୍ୟକ୍ତିରେ କ୍ରିଟିକାଲ ଥିଙ୍କିଂ ଅଛି
• ସ୍ୱଭାବ କବି ଗଙ୍ଗଧର ମେହେର, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରରେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଦବୁଦ୍ଧ କରିଛନ୍ତି
• ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ, ଗାୟକ ଜିତେନ୍ଦ୍ର ହରିପାଲ ଏବଂ ଗୀତିକାର ମିତ୍ରଭାନୁ ଗଉନ୍ତିଆ ବିଭିନ୍ନ ସମୟରେ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକତା ପୂରଣ କରିଛନ୍ତି
• ଅନ୍ୟାୟ ବିରୋଧରେ ଲଢେଇ କରିବାର ଦୃଢ ମନୋବଳ ସମ୍ବଲପୁରରେ ପ୍ରତିଫଳିତ ହୋଇଛି
ସମ୍ବଲପୁର: “ରଙ୍ଗବତୀ” ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବୈଭବ ତଥା ଅସ୍ମିତାର ଭବ୍ୟ ପ୍ରତୀକ । ରଙ୍ଗବତୀ ମୌଳିକ ସଂସ୍କାରର ସାମୂହିକ ପ୍ରତିଫଳନ । ଆଇଆଇଏମ ସମ୍ବଲପୁରରେ ଆଜି ସ୍ଥାପିତ ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ଗବେଷଣା କରିବ ବୋଲି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ରବିବାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ସେତୁର ମିଳିତ ସହଭାଗିତାରେ ଆୟୋଜିତ ‘୨୪ତମ ସମ୍ବଲପୁର ପୁସ୍ତକ ମେଳା’କୁ ଶୁଭାରମ୍ଭ କରିଥିଲେ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆଇଆଇଏମ, ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶାରେ ସଂସ୍କୃତି ତଥା ନିରନ୍ତର ପ୍ରବନ୍ଧନ ଉପରେ ବିଶ୍ୱସ୍ତରୀୟ ଗବେଷଣା ପାଇଁ ଏକ 'ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର' ସ୍ଥାପନାର ଲୋକାର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ପଢା ଲେଖା ଓ ଅଭିବ୍ୟକ୍ତିର ଗୋଟିଏ ମହାନ ପରମ୍ପରା । ସମ୍ବଲପୁର ଅନେକ ଇତିହାସ ରଚନା କରିଛି । ସଂସ୍କୃତି ତିଆରି କରିଛି । ଏହି ଅଞ୍ଚଳର ଲୋକ ଅଭିବ୍ୟକ୍ତିରେ କ୍ରିଟିକାଲ ଥିଙ୍କିଂ ଅଛି । ଏ ଅଞ୍ଚଳର ନାଚ, ଗୀତ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ବାମଣ୍ଡାରାଜା ସାର୍ ବାସୁଦେବ ସୁଢ଼ଳଦେବ, ସ୍ୱଭାବ କବି ଗଙ୍ଗଧର ମେହେର, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରରେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଦବୁଦ୍ଧ କରିଛନ୍ତି । ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ, ଗାୟକ ଜିତେନ୍ଦ୍ର ହରିପାଲ ଏବଂ ଗୀତିକାର ମିତ୍ରଭାନୁ ଗଉନ୍ତିଆ ବିଭିନ୍ନ ସମୟରେ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକତା ପୂରଣ କରିଛନ୍ତି । ଅନ୍ୟାୟ ବିରୋଧରେ ଲଢେଇ କରିବାର ଦୃଢ ମନୋବଳ ସମ୍ବଲପୁରରେ ପ୍ରତିଫଳିତ ହୋଇଛି ।
ଆଜି ଆଇଆଇଏମ ସମ୍ବଲପୁରରେ ସ୍ଥାପିତ 'ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର' ଓଡ଼ିଶାର ବହୁ ସାଂସ୍କୃତିକ ବିଭବ ଯେପରିକି ଅନେକ ନୃତ୍ୟ, ହୃଦୟସ୍ପର୍ଶୀ ଗୀତ, ପ୍ରକୃତି ଉପାସନା, ସମୃଦ୍ଧ ଖାଦ୍ୟ ସଂସ୍କୃତି, ଯାହା ଉନ୍ନତ କୃଷି ; ବୟନ ଶିଳ୍ପ ତଥା ପଶ୍ଚିମ ଓଡ଼ିଶାରେ ହୋଇଥିବା ସଶସ୍ତ୍ର ଏବଂ ଅହିଂସା ସ୍ୱାଧୀନତା ସଂଗ୍ରାମର ବହୁ ଅନାଲୋଚିତ ଘଟଣା ଏବଂ ସଂଗ୍ରାମୀଙ୍କ ଉପରେ ଉଚ୍ଚକୋଟୀର ଗବେଷଣା କରିବ । ଏହାସହ ଏହି ଉତ୍କର୍ଷ କେନ୍ଦ୍ର ବ୍ୟବସାୟ- ନବଉନ୍ମେଷ ଓ ଉଦ୍ୟମିତା କ୍ଷେତ୍ରରେ ନିରନ୍ତର ପ୍ରବନ୍ଧନର ବିଭିନ୍ନ ଦିଗ ଉପରେ ବିଶେଷ ରୂପେ ଅଧ୍ୟୟନ କରିବ । ଆଇଆଇଏମ ସମ୍ବଲପୁରରରେ ଉଚ୍ଚକୋଟ୍ଟୀର ଶିକ୍ଷାଦାନ, ଗବେଷଣା ସାଙ୍ଗକୁ ବୁଣାକାର ମାନଙ୍କ ଦକ୍ଷତା ବିକାଶ ଦିଗରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆସିଛି । ଏହି ରଙ୍ଗବତୀ ସେଣ୍ଟର ଫର୍ ଏକ୍ସଲେନ୍ସ ଇନ୍ କଲଚର୍ ଏଣ୍ଡ୍ ସଷ୍ଟେନେବଲ ମେନେଜମେଣ୍ଟ ଆଗାମୀ ଦିନରେ, ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ନିରନ୍ତର ପ୍ରବନ୍ଧନ ବିଷୟରେ ମୌଳିକ ଗବେଷଣା କରି ଏ ଅଞ୍ଚଳର ସାଂସ୍କୃତିକ, ଅର୍ଥନୈତିକ ଓ ବ୍ୟବସାୟିକ ବୈଭବକୁ ଏକ ନୂଆ ଓ ଉଜ୍ଜ୍ୱଳ ପରିଚୟ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
📱 Get Argus News App
✨ସେହିପରି ଆଜି ଏଠାରେ ୯ ଦିନିଆ ପୁସ୍ତକ ମେଳାର ଆୟୋଜନ ହେବା ପ୍ରଶଂସନୀୟ । ଭୁବନେଶ୍ୱର, କଟକ ସମେତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରକାଶକମାନେ ଏଠାରେ ୧୨୫ରୁ ଊର୍ଦ୍ଧ୍ୱ ଷ୍ଟଲ୍ ଖୋଲିଛନ୍ତି । ତେବେ ଏହା କେବଳ ଏକ ପୁସ୍ତକ ମେଳା ନୁହେଁ, ଏକ ପୁସ୍ତକ ମହୋତ୍ସବ ମଧ୍ୟ । ଜାତୀୟ ଶିକ୍ଷା ନୀତି ଏବଂ ବହୁଭାଷୀ ଶିକ୍ଷା ବ୍ୟବସ୍ଥା ବଳରେ ଆମେ ଆମ ଦେଶର ସମସ୍ତ ମାତୃଭାଷା, ସ୍ଥାନୀୟ ଭାଷା ଆଦିକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରୁଛୁ । ଭାଷା ସମସ୍ତଙ୍କୁ ଯୋଡେ, ନିକଟତର କରିଥାଏ । ଆଜିର ପୁସ୍ତକ ମେଳା ଆମ ଭାଷାକୁ ସମୃଦ୍ଧ କରିବାରେ ସହାୟକ ହେବ । ଏହି ପୁସ୍ତକ ମେଳା ଆସନ୍ତା ବର୍ଷ ଯେତେବେଳେ ନିଜର ରୌପ୍ୟ ଜୟନ୍ତୀ ପାଳନ କରିବ ସେତେବେଳେ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିବ । ତେଣୁ ଏହାକୁ କେବଳ ବୌଦ୍ଧିକ ଆଦାନ ପ୍ରଦାନରେ ନରଖି ପୁସ୍ତକ ମେଳାକୁ ଲୋକଉତ୍ସବରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।
୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ଏହି ଘଟଣାବଳୀ ଇତିହାସରେ ଯେଉଁଭଳି ଭାବରେ ସ୍ଥାନିତ ହେବା କଥା ସେଭଳି ହୋଇନାହିଁ । ଏହି ପୁସ୍ତକ ମେଳା ସେ କଥାକୁ ଉଜାଗର କରିବାରେ ସହାୟକ ହେବ ।
ଏ ଅବସରରେ ଏକ ପୁସ୍ତକ ରଥ (ବୁକ୍ସ ଅନ୍ ହ୍ୱିଲ୍)ର ଶୁଭାରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମହାନଦୀ ପୁସ୍ତକ ପରିକ୍ରମା ରଥ ନାଆଁରେ ଏହି ବସଟି ସମ୍ବଲପୁରର ଗାଁ ଗାଁକୁ ଯିବ ଏବଂ ଓଡ଼ିଆ ଭାଷାର ପୁସ୍ତକ ସବୁ ସୁଲଭ ମୂଲ୍ୟରେ ପାଠକ ପାଠିକାଙ୍କୁ ଯୋଗାଇଦେବ । ପୁସ୍ତକ ଉପରେ ସଚେତନତା ତିଆରି କରିବ । ସମସ୍ତଙ୍କ ହାତପାହାନ୍ତାରେ ପୁସ୍ତକ ଉପଲବ୍ଧ କରିବା, ଏହି ପରିକ୍ରମା ରଥର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।
