ଓଡ଼ିଶା ବିନା ହୋଇ ପାରିବନି ବିକଶିତ ଭାରତର ପରିକଳ୍ପନା: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ନବଜାତକରୁ ନେଇ ଯୁବପିଢ଼ି । ବଜେଟ୍ରେ ମିଳିଛି ସମସ୍ତଙ୍କୁ ଗୁରୁତ୍ଵ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ଏଭଳି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ବଜେଟ୍ରେ ଦେଶର ନୂଆ ପିଢ଼ି ଲାଗି ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ହୋଇଛି । ନବଜାତରୁ ନେଇ ଯୁବକଙ୍କ ଲାଗି ହୋଇଛି ଅନେକ ଘୋଷଣା ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ି ପୋଷଣରୁ ନେଇ ପିଏମ୍ ରିସର୍ଚ୍ଚ ଫେଲୋରେ ୧୦ ହଜାର ପିଲାଙ୍କୁ ଉଚ୍ଚତର ଗବେଷଣା ଲାଗି ପ୍ରୋତ୍ସାହନ, ଦେଶର ସରକାରୀ ହାଇସ୍କୁଲ୍ରେ ବ୍ରଡବ୍ୟାଣ୍ଡ, ୫୦ ହଜାର ନୂଆ ଅଟଳ ଟିଙ୍କରିଂ ଲ୍ୟାବ, ୧୦ ହଜାର ନୂଆ ମେଡିକାଲ୍ ସିଟ୍ ଆରମ୍ଭ ଆଦି ପଦକ୍ଷେପ ନିଆଯାଇଛି ।
ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଭାଷା ମହତ୍ତ୍ଵପୂର୍ଣ୍ଣ ପରାମର୍ଶ ଥିଲା । ବଜେଟରେ ଏଥିପାଇଁ ବିତ୍ତୀୟ ଅନୁଧ୍ୟାନ ବଢ଼ିଛି । ଏହାଦ୍ଵାରା ଦେଶର ୪୭ ପ୍ରତିଶତ ଲୋକ ଉପକୃତ ହେବେ । ଅର୍ଥାତ୍ ଦେଶର ୬୫ରୁ ୭୦ କୋଟି ଲୋକଙ୍କ ଭବିଷ୍ୟତ ଲାଗି ଏହି ବଜେଟ୍ ପ୍ରମୁଖ ଦିଶା ଦେଖାଇଛି ।
ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଯାଉଛନ୍ତି । ଓଡ଼ିଶା ବିନା ୨୦୪୭ ସୁଦ୍ଧା ବିକଶିତ ଭାରତର ପରିକଳ୍ପନା କରାଯାଇ ପାରିବନି । ଭୁବନେଶ୍ଵରରେ ହୋଇଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ପାଖାପାଖି ୧୩ ଲକ୍ଷ କୋଟି ଟଙ୍କା ପୁଞ୍ଜି ପ୍ରତିବଦ୍ଧତାର ସୂଚନା ମିଳିଛି, ଏମ୍ଓୟୁ ହୋଇଛି । ୬ ଲକ୍ଷ କୋଟି ଟଙ୍କା ପରମ୍ପରାଗତ ଶିଳ୍ପକୁ ଛାଡ଼ି ଆଇଟି, ଇଲେକ୍ଟ୍ରୋନିକ୍ସ, ଫାର୍ମାସିଟ୍ୟୁକାଲ, ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ନିବେଶ ହେବ । ଏଥିରେ ଅଧିକ ନିଯୁକ୍ତି ମିଳିବ । ଏହା କେବଳ ରାଜ୍ୟ ଦ୍ଵାରା ସମ୍ଭବ ହେବନି, ଏଥିରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଦାୟିତ୍ଵ ରହିଛି ।
📱 Get Argus News App
✨ଚଳିତ ବଜେଟରେ ଆଇଟି, ସେମିକଣ୍ଡକ୍ଟର, ଷ୍ଟାର୍ଟଅପକୁ ଗୁରୁତ୍ଵ ଦିଆଯାଇଛି । କୃଷି ଆଧାରିତ ଅର୍ଥନୀତିକୁ ବଳ ଦିଆଯାଇଛି । କୃଷି କ୍ଷେତ୍ରରେ ପଛୁଆ ୧୦୦ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ ହେବ, ଓଡ଼ିଶା ବି ସାମିଲ୍ ହେବ । କପା ପାଇଁ ମିଶନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟର କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ବରଗଡ଼, ସୋନପୁର ଭଳି ଜିଲ୍ଲା ଅଧିକ ଲାଭ ପାଇବେ ।
୨୫ ହଜାର କୋଟିର ମ୍ୟାରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ କରାଯିବ । ୪୫୦ କିମିର ଉପକୂଳ ରହିଛି । ବନ୍ଦର ଆଧାରିତ ଅର୍ଥନୀତିରେ ଏହା ନୂଆ ଅଧ୍ୟାୟ ଯୋଡ଼ିବ । ଉଡ଼ାଣ ଯୋଜନାରେ ଝାରସୁଗୁଡ଼ା, ଜୟପୁର, ଉତକେଲା ଯୋଡ଼ି ହୋଇଛି । ଆଗକୁ ଆହୁରି ଲାଭ ମିଳିବ । ଭୁବନେଶ୍ଵରକୁ ଆଇଟି ହବ୍ କରାଯିବ । ଦେଶର ଆଇଟି ଇଣ୍ଡଷ୍ଟ୍ରୀରେ ଓଡ଼ିଆ ପିଲାଙ୍କ ବଡ଼ ଭୂମିକା ରହିଛି ।
ଦେଶର ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଯୋଗିତା ପ୍ରକ୍ରିୟାରେ ଆଗକୁ ଅଣାଯିବ । ଓଡ଼ିଶାର ଏକାଧିକ ପର୍ଯ୍ୟଟନ ସ୍ଥଳକୁ ଆମେ ଯୋଡ଼ି ପାରିବା । ବୁଦ୍ଧଙ୍କ ସହ ଯୋଡ଼ି ପର୍ଯ୍ୟଟନକୁ ଗୁରୁତ୍ଵ ଦିଆଯାଉଛି । ଏହାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇ ପାରିବ । ହୀରାକୁଦ ଓ ସାତକୋଶିଆକୁ ଗୁରୁତ୍ଵ ଦିଆଯାଉଛି ।
କଂଗ୍ରେସ ସମୟରେ ଅଢ଼େଇ ଲକ୍ଷରୁ ଅଧିକ ଆୟରେ ଆୟକର ଦେବାକୁ ପଡ଼ୁଥିଲା । ଏବେ ଏହି ସୀମା ୧୨ ଲକ୍ଷକୁ ବଢ଼ା ଯାଇଛି । ଢାଞ୍ଚାଗତ ଅର୍ଥନୀତିକୁ ମଝଭୁତ ଦେବା ଓ ମଧ୍ୟବର୍ଗୀୟଙ୍କ ମହତ୍ତ୍ଵ ଯୋଗୁଁ ସମସ୍ତେ ଲାଭ ପାଇବେ, ଓଡ଼ିଶା ବି ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ବଜେଟ୍ ଓଡ଼ିଶାକୁ ବଳ ଦେଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।