Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ୟାପୁଛି ଡାଇରିଆ, ବାଲେଶ୍ୱରକୁ ବିପଦ ଦୂଷିତ ପାଣି

Ritu Das
Browse all articles by Ritu Das
·1 year ago·2 min read
ବ୍ୟାପୁଛି ଡାଇରିଆ, ବାଲେଶ୍ୱରକୁ ବିପଦ ଦୂଷିତ ପାଣି

Key Points

ଚିନ୍ତା ବଢ଼ାଇଲାଣି ଡାଇରିଆ

ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି

ଯାଜପୁର , ଭଦ୍ରକ ପରେ ଏବେ ବାଲେଶ୍ୱର ରେ ପାଦ ଥାପିଲାଣି ଡାଇରିଆ

ଗତକାଲି ସିମୁଳିଆରେ ୩୦ରୁ ଅଧିକ ରୋଗୀ ଚିହ୍ନଟ

ଚିନ୍ତା ବଢ଼ାଇଲାଣି ଡାଇରିଆ। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି ଡାଇରିଆ।  ଯାଜପୁର , ଭଦ୍ରକ ପରେ ଏବେ ବାଲେଶ୍ୱର ରେ ପାଦ ଥାପିଲାଣି ଡାଇରିଆ। ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ। ସହରବାସୀ ବିଶୁଦ୍ଧ ପାଣି ପିଉଛନ୍ତି କିଏ ଦେବ ଏହାର ଗ୍ୟାରେଣ୍ଟି। ଗତକାଲି ସିମୁଳିଆରେ ୩୦ରୁ ଅଧିକ ରୋଗୀ ଚିହ୍ନଟ ହେବା ପରେ ସହର ମଧ୍ୟରେ ବାଳାଶ୍ରମ ବିଦ୍ୟାଳୟରେ ମଧ୍ୟ ୯ରୁ ଉର୍ଦ୍ଧ୍ବ ପିଲା ଡାଇରିଆ ରୋଗରେ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ଜିଲ୍ଲାବାସୀ। ଦେଖନ୍ତୁ ବାଲେଶ୍ୱରରେ ସପ୍ଲାଇ ପାଣି ପାଇପର ଅବସ୍ଥା। କେଉଁଠି ପାଇପ କନେକ୍ଟର ରେ ଗଛ ଉଠିଗଲାଣି ତ ଆଉ କେଉଁଠି ଡ୍ରେନ ପାଣି ଭିତର ଦେଇ ଯାଇଛି ସପ୍ଲାଇ ପାଣି ପାଇପ । ଏହି ପାଇପ ଭିତରେ ଯଦି କେଉଁଠି ଲିକ ହେବ ତେବେ ନାଳ ପାଣି ଲୋକେ ନ ପିଇବେ କିଏ କହିବ। ସେପଟେ ସହରର ଏକାଧିକ ସ୍ଥାନରେ ରାସ୍ତା କଡ଼ ଦୋକାନରେ ଦିଆଯାଉଥିବା ପାଣି ଉପରେ ମଧ୍ୟ କାହାରି ନଜର ନାହିଁ । ଗୁପଚୁପ, ଚାଟ, ଦହିବରା ଭଳି ଚଟପଟା ଖାଦ୍ୟରେ କେଉଁ ପାଣି ବ୍ୟବହାର ହେଉଛି ତାର ମଧ୍ୟ ହିସାବ ନାହିଁ। ସେହିପରି ସହରର ଏକାଧିକ ବ୍ୟବସାୟୀ ପାଣି ଯୋଗାଇବା ବ୍ୟବସାୟ କରୁଛନ୍ତି ଯେଉଁଥିରେ ପାଣି ଫିଲ୍ଟର ରେ ପାଣି ଦିଆଯାଉଛି । ସେସବୁ ପାଣି ପ୍ରକୃତରେ ବିଶୋଧିତ କରାଯାଉଛି କି ନାହିଁ ସେସବୁ ମଧ୍ୟ ଦେଖା ଯାଉନି ।


ଏସବୁ ଭିତରେ ଲୋକଙ୍କ ଡାଇରିଆ ନାଁ ଶୁଣି ନିଦ ହଜିଗଲାଣି । ସେପଟେ ବାଲେଶ୍ଵର ଡାଇରିଆରେ ପ୍ରଥମ ମୃତ୍ୟୁ ଅଭିଯୋଗ ହୋଇଛି । ସୋର ସର୍ଶଙ୍ଗ ଗ୍ରାମର ୩୫ ବର୍ଷୀୟ ମାମାଲି ମହାପାତ୍ର ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ବିଳମ୍ବିତ ରାତିରେ ମହିଳାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଡାଇରିଆ ନିୟନ୍ତ୍ରଣ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଲୋକଙ୍କ ଦାବି ହୋଇଛି। ସେପଟେ ଡାଇରିଆକୁ ନେଇ ବାଲେଶ୍ୱର ପ୍ରଶାସନ ପକ୍ଷରୁ ସବୁ ବିଭାଗକୁ ନେଇ ଏକ ସମୀକ୍ଷା କରାଯାଇଛି । ମୁଖ୍ୟତଃ ଲୋକଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଅନ୍ୟପଟେ ସିମୁଳିଆରେ ବ୍ୟାପିଥିବା ଡାଇରିଆ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନୁହେଁ ବରଂ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିବା ଜିଲ୍ଲାପାଳ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହିତ ସ୍ୱାସ୍ଥ୍ୟ ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିତି ଉପରେ ନଜର ରଖିବା ସହିତ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ କହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଖାଦ୍ୟ ନିରାପତ୍ତା ବିଭାଗକୁ ଖାଦ୍ୟ ଦୋକାନ ଯାଞ୍ଚ ପାଇଁ କୁହାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଏଥି ସହିତ ପାନୀୟ ଜଳ ଯୋଗାଣ ନେଇ ସମସ୍ତ ଟାଙ୍କି ସଫେଇ ଚାଲୁଥିବା କହିଛନ୍ତି । ଅନ୍ୟପଟେ ବାଲେଶ୍ୱର ସହରର ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରିଛି ମୁନିସିପାଲଟିର ସ୍ୱାସ୍ଥ୍ୟ ଏବଂ ପରିମଳ ବିଭାଗ । ଅପରିଷ୍କାର ପାଣି, ବାସି ବା ରଙ୍ଗ ମିଶ୍ରିତ ଖାଦ୍ୟକୁ ନେଇ ଯାଞ୍ଚ କରିଛି ବିଭାଗ। ଫାଇନ ଆଦାୟ ସହିତ ଆସନ୍ତାକାଲି ଠାରୁ ଅପରିଷ୍କାର ପାତ୍ରରେ ପାନୀୟ ଜଳ ବା ଖାଦ୍ୟ ପଦାର୍ଥ ରଖିଲେ ଦୋକାନ ସିଲ ନେଇ ଚେତାବନୀ ଦେଇଛି। ବେଳ ଥାଉ ଥାଉ ସାବଧାନ ଓ ସଚେତନ ନହେଲେ ପଡ଼ୋଶୀ ଜିଲ୍ଲା ଭଳି ବାଲେଶ୍ୱରର ସ୍ଥିତି ଉଦବେଗଜନକ ନ ହେବ କିଏ କହିବ।

Sponsored
diarrhea-is-spreading-water-in-balasore-is-dangerously-contaminated | Argus News