ନବୀନଙ୍କୁ ଭୂଆଁ ବୁଲାଇ ସବୁ ନେଇଗଲେ ବବି !

Key Points
- ଗୁମର ଖୋଲୁଛି ବବିଙ୍କର
- ରାଜ୍ୟସଭା ପାଣ୍ଠିଠୁ ମୁଖ୍ୟମନ୍ତ୍ରୀ ପାଣ୍ଠି
- ପ୍ରକଳ୍ପ ପରେ ପ୍ରକଳ୍ପ ମିଳୁଥିଲା ଯାଜପୁରକୁ
- ମନଇଚ୍ଛା ଟଙ୍କା ଖାଇ ପକେଟ୍ ଗରମ କରୁଥିଲେ ବବି
- ଯାଜପୁରକୁ ବଦନାମ କରିଦେଲେଣି ପ୍ରଣବ
ଅର୍ଗସ ବ୍ୟୁରୋ : ଯାଜପୁରକୁ ବଦନାମ କରିଦେଲେଣି ବବି । ସରକାରରେ ଥିବା ବେଳେ ଏତେ ମାତ୍ରାରେ ଦୁର୍ନୀତି କରିଛନ୍ତି ଯେ ଏବେ ସରକାର ବଦଳିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ରାଜ୍ୟସଭା ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି । ଯାଜପୁର ଉପରେ ହେଉଥିଲା ପ୍ରକଳ୍ପ ଉପରେ ପ୍ରକଳ୍ପ ବର୍ଷା । ୨୯ ଜିଲ୍ଲାରେ ଯେତିକି ବିକାଶ ଲାଗି ଟଙ୍କା ଦିଆଯାଇନଥିଲା କେବଳ ଯାଜପୁରକୁ ସେତିକି ଟଙ୍କା ଦିଆଯାଇଥିଲା । ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ ମିଳଇଛି । ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ବିଜେଡି ସରକାର । ହେଲେ ଏହା କେମିତି ସମ୍ଭବ ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ।
ବିଧାନସଭାରେ ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି, ୨୦୨୧ରୁ ୨୪ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯାଜପୁର ଜିଲ୍ଲାକୁ ୩ ହଜାର ୭୪ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ୩ ହଜାର ୮ କୋଟି ଟଙ୍କା ଖର୍ଚ୍ଚ କରିଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଅନୁଦାନ ଦିଆଯାଇଥିଲେ ବି ଏଯାଏଁ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଚାଲୁ ରହିଛି । ଆଉ ୧ ହଜାର ୩୭ଟି ପ୍ରକଳ୍ପ କାମ ଏ ଯାଏଁ ଆରମ୍ଭ ହୋଇନାହିଁ । ୨୦୨୧-୨୨ ବର୍ଷର ୨୪ଟି ପ୍ରକଳ୍ପ କାମ ଆରମ୍ଭ ହୋଇ ନଥିଲେ ବି ପରବର୍ତ୍ତୀ ବର୍ଷରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଦେଇଥିଲେ ସରକାର । ପୁଣି ନିର୍ବାଚନ ପାଖେଇବାରୁ ହଠାତ୍ ଦୁଇ ଗୁଣା ହୋଇଯାଇଥିଲା ଅନୁଦାନ । କିନ୍ତୁ ଏହା କେମିତି ସମ୍ଭବ ହେଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
ଯାଜପୁରର ଇଷ୍ଟଦେବୀ ତଥା ବିଶ୍ଵପ୍ରସିଦ୍ଧ ମାଆ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ୯ କୋଟିରୁ ଅଧିକ ଅନୁଦାନ ଆସିଥିଲେ ବି ମନ୍ଦିର କାମ ଏଯାଏଁ ଅଧପନ୍ତରିଆ । ଅଧା ଜାଗାରେ ଉଚ୍ଛେଦ ହୋଇଛି ତ ଆଉ ଅଧା ଜାଗାରେ ହୋଇନି । ସେହିପରି ଏନ୍ସି କଲେଜକୁ ମିଳିଛି ୩ କୋଟିର ଅନୁଦାନ । କିନ୍ତୁ ୩ ବର୍ଷ ହେଲା ସରିପାରୁନି ବିଲ୍ଡିଂ କାମ ।
📱 Get Argus News App
✨ସୂଚନା ଅନୁସାରେ, ୪ ବର୍ଷରେ ୧୧ ରାଜ୍ୟସଭା ସାଂସଦଙ୍କ ୧୫ କୋଟି ଟଙ୍କା ଯାଜପୁରରେ ଖର୍ଚ୍ଚ ହୋଇଥିଲା । ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ମିଳିବା ପରେ ପ୍ରଶ୍ନ ଉଠିଲାଣି, ପ୍ରକଳ୍ପ ନକରି ଟଙ୍କା କେମିତି ନେଉଥିଲେ ବବି ? ଏତେ ଟଙ୍କା ନେଇ ଜିଲ୍ଲାର ବିକାଶ ନକରି ନିଜ ଘରେ ରାଜସ୍ଥାନୀ ମାର୍ବଲ ଲଗାଇ ବିକାଶ କରୁଥିଲେ କି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏନେଇ କିନ୍ତୁ ବିଜେଡି ନେତା କିମ୍ବା ପ୍ରଣବ ପ୍ରକାଶଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।