ବିଧିର ବିଧାନ କେଡେ ବିଚିତ୍ର, ବୁଢା ବାପା ଆଗରୁ ଭେଣ୍ଡିଆ ପୁଅକୁ ନେଲା ଛଡାଇ

ଦିଗପହଣ୍ଡି: ବାପା କହୁଛି ବାପା...ମାଆ କହୁଛି ଧନଧନ...ଭଉଣୀ କହୁଛି ଗେହ୍ଲୁରେ ତୁ କୁଆଡ଼େ ଗଲୁରେ ...ଦାଣ୍ଡ ପିଣ୍ଡାରେ ବୁଢା ବୟସରେ ବାପା କାନ୍ଦି କାନ୍ଦି କହୁଛି ଏ ସବୁ କଣ ହେଲାରେ ? ଓଃ କି ଦୁଃଖ !! ବୁଢା ବାପା ଭାବିଥିଲା ଭେଣ୍ଡା ପୁଅ ଜୀବ ଯିବା ପରେ ପୁଅ କାନ୍ଧରେ ଶ୍ମଶାନ ଯିବ ବୋଲି । ହେଲେ ବିଧିର ବିଧାନ କେଡେ ବିଚିତ୍ର । ବୁଢା ବାପା ଆଗରୁ ଭେଣ୍ଡା ପୁଅକୁ ନେଲା ଛଡାଇ । ଏମିତି ସ୍ଥିତିରେ ଛାତି ବାଡେଇ ବାପା କାନ୍ଦିବନି ତ ଆଉ କଣ କରିବ ? ପରିବାରର ସୁଃଖ ମନାସିବା ଲାଗି ଦିଗପହଣ୍ଡିରୁ ଘଟଗାଁ ଆସିଥିଲେ ତାରିଣୀ ବୁଢୀକୁ ଦେଖିବାକୁ । ହେଲେ କନ୍ତ ଜଙ୍ଗଲରେ ବାଟ ହୁଡିଲା ଯମ , ଆଉ ସାଙ୍ଗରେ ନେଇ ଚାଲିଗଲା ୮ ଜୀବନ । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଏହି ଦୃଶ୍ୟ ଦେଖିଲେ ହିଁ ଆପଣ ବୁଝିପାରିବେ ।
କେଇଟା ମୁହୂର୍ତ୍ତରେ ସବୁ ଛାରଖାର । ମୁଣ୍ଡ ବାଡେଇ କାନ୍ଦୁଛନ୍ତି ସମ୍ପର୍କୀୟ, ସାହି ପଡିଶା । ବିଶ୍ୱାସ କରିପାରୁନି ପୋଡାମାରି ଗାଁ । ପୁରା ଗାଁ ଆଜି କାନ୍ଦୁଛି । ବୁକୁ ଫଟା କାନ୍ଦ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଭୋରୁ ଭୋରୁ ଏହି ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି ।
ସମୟ ଭୋର 5 ଟା ହେବ । ସ୍ଥାନ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା NH-20 ବାଲିଯୋଡି । ଘଟଗାଁ ମନ୍ଦିର ଆଉ 3 କିମି । ଛିଡା ହୋଇଥିବା ଟ୍ରକ୍ କୁ ଖୁବ୍ ଜୋରରେ ପିଟିଲା ୱିଙ୍ଗର୍ ଭ୍ୟାନ୍ । ଆଉ କେଇଟା ମୁହୂର୍ତ୍ତରେ ସବୁ କିଛି ଛାରଖାର୍ । ଆଉ ଅଧାରେ ରହିଲା ତାରିଣୀ ଦର୍ଶନ । ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି 11 ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଗାଡ଼ିରେ ମୋଟ 20 ଜଣ ଥିବାବେଳେ ଅନ୍ୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ ୮ଟି ଶବକୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ମୃତକ ମଧ୍ୟରେ ୪ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି । ସମସ୍ତ ମୃତକଙ୍କ ପରିଚୟ ସାମ୍ନାକୁ ଆସିଥିବା ବେଳେ ବତାଗଡ ଗାଁର ମଦନ ଗୌଡ, ବାୟାଘନ ଗୌଡ, ପାଳଝାଡ଼ି ଗାଁର କାମିନୀ ଗୌଡ, ପୋଡାମାରି ଗାଁର ଆକାଶ ପ୍ରଧାନ, ଲିଜା ପ୍ରଧାନ, ହଡ଼ିଆନି ପ୍ରଧାନ ଏବଂ ଦେଖାଲି ଗାଁର ବାବୁଲା ଗୌଡଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
📱 Get Argus News App
✨ସେପଟେ ମୃତକଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ମାଆ, ପୁଅ, ବୋହୂ ଥିବା ସୂଚନା । ୩ ମୃତକ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । 5ମାସ ପୂର୍ବେ ରେଣୁବାଳା ପ୍ରଧାନଙ୍କ ପରିବାରରୁ ବସ୍ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିଲା।