Videos
|
Odisha

30 ଦିନ ପାଇଁ ମହାପ୍ରଭୁଙ୍କ ସେବା କରିପାରିବେନି ରାମକୃଷ୍ଣ ଦାସମହାପାତ୍ର

Smruti Parija
Browse all articles by Smruti Parija
·1 year ago·2 min read
30 ଦିନ ପାଇଁ ମହାପ୍ରଭୁଙ୍କ ସେବା କରିପାରିବେନି ରାମକୃଷ୍ଣ ଦାସମହାପାତ୍ର

ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ଦୀଘା ମନ୍ଦିର ବିବାଦ ପରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଥିବା ଦର୍ଶାଇ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।


ଏହି ନିଲମ୍ବନ ସମୟ ଭିତରେ, ଦାସ ମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ । କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି । ଏଥି ସହିତ ଶ୍ରୀ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଅଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ, ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ, ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ।

ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ଶ୍ରୀ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/ ପାଉଣା/ ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଦାସମହାପାତ୍ରଙ୍କୁ ଦୁଇଟି ନୋଟିସ୍ ହୋଇଥିଲା । ପ୍ରଥମେ ତା ୦୪.୦୫.୨୦୨୫ର କୈଫିୟତ ନୋଟିସ୍ ଜରିଆରେ, ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା । ସେହି ନୋଟିସରେ ଶ୍ରୀଦାସମହାପାତ୍ର, “କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟକରି ନବକଳେବର ସଂଗୃହୀତ ବଳକା ଦାରୁ ନିର୍ମିତ ବିଗ୍ରହ ଦୀଘା ମନ୍ଦିରରେ ପ୍ରତିଷ୍ଠା ହୋଇଛି ବୋଲି ବୟାନ୍ ଦେଇ ସାରା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ବାସକୁ କୁଠାରାଘାତ କଲେ, ଏବଂ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇ କାହିଁକି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କଲେ,” ସେ ନେଇ ଉତ୍ତର ରଖିବାକୁ କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ ଗତ ତା ୦୯.୦୫.୨୦୨୫,ରିଖରେ ଆଉ ଏକ କୈଫିୟତ ନୋଟିସ ଜରିଆରେ, “ଜଗନ୍ନାଥଧାମ – ଦୀଘା ନାମିତ ମନ୍ଦିରର କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ସେବକ ଭାବେ, କାହିଁକି ଯୋଗ ଦେଲେ, ଏବଂ ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ଏହାର ପ୍ରତିବାଦ କରିଥିଲେ ନା ନାହିଁ” ସେନେଇ ଉତ୍ତର ରଖିବାକୁ କୁହାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି । ଗର୍ବ ଓ ଅହଂକାର- ବିବର୍ଜିତ ହୋଇ, ଶ୍ରୀମନ୍ଦିର ପରମ୍ପରା, ଗରିମା ତଥା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏହା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆମ ସମର୍ପଣ ଭାବର ନିଦର୍ଶନ ହେବା ଆବଶ୍ୟକ । ଆଗାମୀ ଦିନରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ।


digha-temple-chief-administrator-suspends-ramakrishna-das-mahapatra-after-digha-temple-controversy | Argus News