ମହାପୁରୁଷଙ୍କୁ ପୁଣି ଅପମାନ : ହରେକୃଷ୍ଣ ମହତାବଙ୍କୁ ଲେଖିଲେ ମହାନ୍ତି

Key Points
- ମହାପୁରୁଷଙ୍କୁ ପୁଣି ଅପମାନ
- ହରେକୃଷ୍ଣ ମହତାବଙ୍କୁ ହରେକୃଷ୍ଣ ମହାନ୍ତି ଲେଖିଲେ
- ବାଞ୍ଛାନିଧି ମହାନ୍ତିଙ୍କୁ ଲେଖିଲେ ବାଞ୍ଛାନିଧି ଦାସ
- ସାଙ୍ଘାତିକ ଭୁଲକୁ ନେଇ ବଢିଲା ଅସନ୍ତୋଷ
ଅର୍ଗସ ବ୍ୟୁରୋ : ମହାପୁରୁଷଙ୍କୁ ପୁଣି ଅପମାନ । ଭାଷା ସମ୍ମିଳନୀରେ ତ ଯାହା ଅପମାନ କରିଥିଲେ କରିଥିଲେ ଏବେ ରାସ୍ତା କଡ କାନ୍ଥରେ ନାଁକୁ ଯେମିତି କଦର୍ଯ୍ୟ କରି ଲେଖିଲେ ତାହାକୁ ନେଇ ଚର୍ଚ୍ଚା ଜୋର । ହେଲେ ଏମିତି ଭୁଲ ପ୍ରଶାସନ କେମିତି କଲା ? କାହିଁକି କଲା ? ଲେଖା ହେବା ପରେ ତା'ର ତ୍ରୁଟି କେମିତି କିଏ ଦେଖିପାରିଲେ ନାହିଁ ? ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜିଲ୍ଲାପାଳ କହୁଛନ୍ତି କାର୍ଯ୍ୟାନୁଷ୍ଠାନ ନେବୁ, ତୁରନ୍ତ ତ୍ରୁଟି ସଂଶୋଧନ କରିବୁ ।
ସେ ଦୃଶ୍ୟ ଦେଖିଲେ ମୁଣ୍ଡ ଘୂରାଇ ଦେବ, ବିଚଳିତ ଲାଗିବ । ପ୍ରଶ୍ନ ଆସିବ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ଏମିତି କିଏ କଲା ? ଖାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଜାତୀୟ କବିଙ୍କ ନାଁକୁ ବି ବଦଳାଯାଇଛି । ଆଉ ଏମିତି ସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ...ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କବିଙ୍କୁ ନେଇ ଆଦୌ ସମ୍ବେଦନଶୀଳ ନୁହନ୍ତି ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ।
ଭୁବନେଶ୍ଵରରେ ଯାହା ଦେଖିବାକୁ ମିଳିଥିଲା ଭଦ୍ରକରେ ବି ତାହା ହେଲା । ଜିଲ୍ଲାର ଧାମନଗରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଛି । ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ଏମିତି ତ୍ରୁଟି କରି ଘରେ ଘୁଙ୍ଗୁଡି ମାରୁଥିବା ବେଳେ ବିଜେପି ପକ୍ଷରୁ କିନ୍ତୁ ତ୍ରୁଟି ସଂଶୋଧନ କରାଯାଇଥିଲା । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରୀରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷଙ୍କ ଚିତ୍ର କରାଯାଇଛି । ତେବେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାଁକୁ ଏଠାରେ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା । ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ କବିଙ୍କ ନାଁକୁ ଲିଭାଇ ଦିଆଯାଇଛି ।
📱 Get Argus News App
✨ତେବେ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ ଗାନ’ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ପରେ ଉପସ୍ଥାପିକା ସଂହତି ପାଣି ଏହାକୁ ‘ସ୍ଲିପ୍ ଅଫ୍ ଟଙ୍ଗ୍’ ବୋଲି କହିବା ସହ ଭୁଲ ସ୍ୱୀକାର କରି ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ହେଲେ ପରେ ପୁଣି କାହିଁକି ଡିଲିଟ୍ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଏବେ ପୁଣି ଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କବିଙ୍କୁ ଏମିତି ଅସମ୍ମାନ କରାଯାଇଥିବାରୁ ଚର୍ଚ୍ଚା ଜୋର ।