Videos
|
Odisha

ଶଙ୍ଖ ଦଳରେ ପ୍ରବଳ କେଁ : ଟିକେଟ୍‌ ନମିଳିଲେ ବଢିପାରେ ବିଦ୍ରୌହ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଶଙ୍ଖ ଦଳରେ ପ୍ରବଳ କେଁ : ଟିକେଟ୍‌ ନମିଳିଲେ ବଢିପାରେ ବିଦ୍ରୌହ !

Key Points

  • ବାରୁଦ ଗଦାରେ ବିଜେଡି
  • ବିଜେପି ସହ ଲଢେଇ କରିବାକୁ ଦେଉଛି ପଛଘୁଞ୍ଚା
  • ହେଭିୱେଟଙ୍କୁ ଦେଖି ଛାନିଆ ଶଙ୍ଖ ଦଳ

ଅର୍ଗସ ଡିଜିଟାଲ : ବିଜେଡି ସ୍ଥିତି ଭଲ ନାହିଁ । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଲାଗି ଟେନସନ୍‌ ସେତିକି ବଢୁଛି । କାରଣ ଆଶାୟୀଙ୍କ ସଂଖ୍ୟ ଏତେ ଅଧିକ ଯେ କାହାକୁ ଟିକଟ ଦେବ କାହାକୁ ନାହିଁ ତାହାକୁ ନେଇ ଚିନ୍ତାରେ ଦଳ । ଆଉ ଏହାରି ଭିତରେ ମେଂଟ ଚର୍ଚ୍ଚାରେ ବି ପୂର୍ଣ୍ଣଚ୍ଛେଦ ପଡିଛି । ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବି ଘୋଷଣା କରିସାରିଛି । ତେଣୁ ରାଜ୍ୟରେ ବଡ ଲଢେଇ ନେଇ ସଙ୍କେତ ଦେଇଛି ବିଜେପି । 


ମୋଦିଙ୍କର ଓଡ଼ିଶାର ୧୮ ଯୋଦ୍ଧାଙ୍କୁ ନେଇ ଏବେ ଚିନ୍ତାରେ ଶଙ୍ଖ ଶିବିର । କାରଣ କେଉଁଠୁ କାହାକୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ ସେନେଇ ଅଙ୍କକଷା ଚାଲିଛି ସତ ହେଲେ ଅଙ୍କ ଛିଣ୍ଡୁନି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଲୋକସଭା ମଇଦାନକୁ ଓହ୍ଲାଇଥିବା ବିଜେପିର ହେଭିୱେଟ୍ ନେତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ପାଖରେ ଏବେ ଯୋଗ୍ୟ ପ୍ରାର୍ଥୀଙ୍କ ମରୁଡ଼ି ଦେଖାଦେଇଛି । ବିଶେଷକରି ରାଜ୍ୟ ତମାମ ଦଳୀୟ ସଂଗଠନରେ ଲାଗି ରହିଥିବା ତୀବ୍ର ଅସନ୍ତୋଷ, ଗୋଷ୍ଠୀକନ୍ଦଳ ଓ ସମାନ୍ତରାଳ ସଂଗଠନ ଯୋଗୁ ବିଜେଡି ସାମ୍ନା କରିଛି ଏମିତି ସ୍ଥିତି ।


ବିଜେପି ସହ ନିର୍ବାଚନୀ ମେଂଟ କରି ବିଜେଡି ନିଜର ସାଂଗଠନିକ ଅସନ୍ତୋଷ ଓ ଛକାପଞ୍ଝାକୁ ଚାପି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା,ମାତ୍ର ଶେଷମୁହୂର୍ତ୍ତରେ ମେଂଟ ଫେଲ୍ ମାରିବାରୁ ବିଜେଡି ରଣନୀତିକାରଙ୍କ ସବୁ ଅଙ୍କ ଏପଟସେପଟ ହୋଇଯାଇଛି। କଟକରୁ କୋରାପୁଟ, ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ସମ୍ବଲପୁର ସବୁଠି ବିଜେଡି ସଂଗଠନର ପୁଞ୍ଜିଭୂତ ଅସନ୍ତୋଷ ଏବେ ବାରୁଦଗଦା ଭଳି ହୋଇଛି। ଖାସ୍ ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ପିତା ବିଜୁ ପଟ୍ଟନାୟକଙ୍କ ୧୯୯୫ ମସିହା ନିର୍ବାଚନୀ ଫଳାଫଳ ଦଶା ଭୋଗିବାକୁ ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।


ମୋଟ୍‌ ଉପରେ, ଆଗୁଆ ନିର୍ବାଚନ କଥା କହି ୨୦୨୩ ରଥଯାତ୍ରା ବେଳଠୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିବା ବିଜେଡି ଏବେ ବିକଟାଳ ସାଂଗଠନିକ ସ୍ଥିତି ଓ ଦଳୀୟ ଅନ୍ତଃକନ୍ଦଳକୁ ନେଇ ବ୍ୟାକଫୁଟରେ ରହିଥିଲା । ଦୀର୍ଘଦିନ ଧରି ସଂଗଠନରେ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶମିତ କରିବା ପାଇଁ କିମ୍ବା ଅସନ୍ତୁଷ୍ଟ ନେତା-କର୍ମୀଙ୍କୁ ବୁଝାଇବା ଦିଗରେ ଦଳ କୌଣସି ଆଖିଦୃଶିଆ କାର୍ଯ୍ୟ କରିନି । ଅବଶ୍ୟ ବିଜେପି କାନ୍ଧରେ ଲାଉ ହୋଇ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଥିଲା । ହେଲେ ଏତେ ସହଜ ନଥିଲା... ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥାଇ ମଧ୍ୟ ଦଳୀୟ କନ୍ଦଳ ଓ କିଛି ନିର୍ଦ୍ଦିଷ୍ଟ ନେତାମାନଙ୍କ ଅର୍ନ୍ତଘାତୀ କାର୍ଯ୍ୟଯୋଗୁ ଜନତା ଦଳ ପୁଣିଥରେ ସରକାରକୁ ଫେରି ପାରିନଥିଲା। ଏବେ ଅନୁରୂପ ସ୍ଥିତି ଓଡ଼ିଶାରେ ଦେଖାଦେବାର ଆଶଙ୍କା ଉପୁଜିଛି । ତେବେ ସମୟ କହିବ ଆଗାମୀ ନିର୍ବାଚନରେ ବିଜେଡି ସ୍ଥିତି କଣ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Disturbance In BJD | Argus News