Videos
|
Odisha

Diwali Diya Demand / ଦୀପାବଳି ପୂର୍ବରୁ ମାଟି ଦୀପର ଚାହିଦା ବଢ଼ିଲା… ଚକି ଘୂରୁଛି, ହେଲେ ଲାଭ ନେଉଛି ମେସିନ୍ ଦୀପ

Ritu Das
Browse all articles by Ritu Das
·1 hour ago·2 min read
ଦୀପାବଳି ପୂର୍ବରୁ ମାଟି ଦୀପର ଚାହିଦା ବଢ଼ିଲା… ଚକି ଘୂରୁଛି, ହେଲେ ଲାଭ ନେଉଛି ମେସିନ୍ ଦୀପ
India

Key Points

ଦୀପାବଳି ପୂର୍ବରୁ ମାଟି ଦୀପର ଚାହିଦା ବଢ଼ିଲା, ଦିନକୁ ୫୦୦ରୁ ଅଧିକ ଦୀପ ଗଢ଼ୁଛନ୍ତି କୁମ୍ଭକାର
କଲିକତା ଓ ଗୁଜରାଟରୁ ଆସୁଥିବା ମେସିନ୍ ଦୀପ ଯୋଗୁଁ ହାତ ତିଆରି ଦୀପର ବ୍ୟବସାୟ ପ୍ରଭାବିତ

ମାଟି ଓ ଝାଟିର ଦର ବୃଦ୍ଧି, କମ୍ ଲାଭ; ସରକାରୀ ସହାୟତା ଓ ବଜାର ସୁବିଧା ଦାବି କଲେ କୁମ୍ଭକାର

ଆଧୁନିକ ଆଲୋକମାଳାର ଚାକଚକ୍ୟ ଭିତରେ ମାଟି ଦୀପର ମହକ ଆଜି ବି ଫିକା ପଡ଼ିନି । ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଥିବା ବେଳେ ମାଟି ଦୀପର ଚାହିଦାକୁ ନେଇ ଚଳଚଞ୍ଚଳ କୁମ୍ଭକାରଙ୍କ ଗାଁ । ଦିନରାତି ଏକ କରି ଦୀପ ଗଢ଼ିବାରେ ଲାଗିପଡ଼ିଛନ୍ତି କାରିଗର। ହେଲେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ ଓ ବାହାର ରାଜ୍ୟରୁ ଆସୁଥିବା ମେସିନ୍ ତିଆରି ଦୀପ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି ଗାଁରେ ଏବେ ଦେଖିବାକୁ ମିଳୁଛି ମାଟି କାରିଗରଙ୍କ ବ୍ୟସ୍ତତା ।

ପିଢ଼ି ପରେ ପିଢ଼ି ନିଜ କୌଳିକ ବୃତ୍ତିକୁ ଆପଣେଇ ଆସିଥିବା କୁମ୍ଭକାର ପରିବାରଗୁଡ଼ିକ ଦୀପାବଳି ପାଇଁ ତିଆରି କରୁଛନ୍ତି ଭଳିକି ଭଳି ମାଟି ଦୀପ। ମଟର ଚାଳିତ ଚକି ଘୁରିବା ସହ ଆକାର ନେଉଛି ମାଟି । କାରିଗରଙ୍କ ହାତର ସ୍ପର୍ଶରେ ଗଢ଼ି ଉଠୁଛି ଆଲୋକର ଅନେକ ସମ୍ଭାର। ଜଣେ ଜଣେ କୁମ୍ଭକାର ଦୈନିକ ୫୦୦ରୁ ଅଧିକ ଛୋଟବଡ଼ ଦୀପ ପ୍ରସ୍ତୁତ କରୁଛନ୍ତି। ୫୦ ପଇସାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଦୀପ ତିଆରି କରି ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ ଓ ଭୁବନେଶ୍ୱର ଭଳି ସହରକୁ ଯୋଗାଣ କରୁଛନ୍ତି। ପୂର୍ବରୁ ମହମବତୀ ଓ ଚାଇନା ଲିଚୁ ଲାଇଟର ଚାହିଦା ବଢ଼ିଥିବା ବେଳେ ଏବେ ପୁଣି ମାଟି ଦୀପ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା କୁମ୍ଭକାରଙ୍କ ପାଇଁ ଆଶା ସଞ୍ଚାର କରିଛି।

କିନ୍ତୁ ଏହି ଆଶା ଭିତରେ ରହିଛି ଆର୍ଥିକ ଚିନ୍ତା। କଲିକତା ଓ ଗୁଜରାଟରୁ ମେସିନରେ ପ୍ରସ୍ତୁତ ଦୀପ ବଜାରକୁ ଆସୁଥିବାରୁ ହାତ ତିଆରି ଦୀପର ବ୍ୟବସାୟ ପ୍ରଭାବିତ ହେଉଛି। ଏସମ୍ପର୍କରେ ଦୀପ ଗଢ଼ୁଥିବା କୁମ୍ଭକାର ବୈଷ୍ଣବ ମୁଦୁଲି କହିଛନ୍ତି ବାପା ଜେଜେବାପା ଅମଳରୁ ଆମେ ଏହି ଦୀପ ଗଢି ଆସୁଛୁ। ବର୍ତ୍ତମାନ ସମୟରେ ଦୀପର ଚାହିଦା ବଢିଛି କିନ୍ତୁ କଲିକାତା, ଗୁଜୁରାଟରୁ ଆସୁଥିବା ମେସିନ ଦୀପ ପାଇଁ ଆମ ଦୀପର ଚାହିଦା କମୁଛି । ସରକାର ଆମକୁ ଚାହୁଁ ନାହାନ୍ତି, ଅନ୍ୟ ରାଜ୍ୟ ମାନଙ୍କରେ କୁମ୍ଭକାର ମାନଙ୍କୁ ଯେପରି ସହାୟତା ମିଳୁଛି ଆମକୁ ଏଠି ମିଳୁନି। ସେହିପରି ଶୈଳବାଳା ମୁଦୁଲି କହିଛନ୍ତି ହାତ ତିଆରି ଦୀପର ଚାହିଦା ସେମିତି ନାହିଁ । ବାହାର ରାଜ୍ୟର ମେସିନ ଦୀପର ଚାହିଦା ଭଲ ଅଛି। ଲକ୍ଷ ଲକ୍ଷ ଟଙ୍କା ଦେଇ ଆମେ କୁଆଡୁ ମେସିନ ଆଣିବୁ। ମାଟି ଠୁ ଝାଟି ସବୁ କିଣା ହେଉଛି ତେଣୁ ଲାଭ ଟିକେ କମୁଛି।

ଅନ୍ୟପଟେ ଦୀପ ପ୍ରସ୍ତୁତି ପାଇଁ ଆବଶ୍ୟକ ମାଟି ଓ ଝାଟିର ଦର ବଢ଼ୁଥିବା ବେଳେ ଦୀପର ବିକ୍ରି ମୂଲ୍ୟ ସେହି ଅନୁପାତରେ ବଢ଼ୁନାହିଁ । ଫଳରେ ପରିଶ୍ରମ ଅନୁସାରେ ଲାଭ ମିଳୁନଥିବା କହିଛନ୍ତି କାରିଗର । ମାଟିରେ ଦୀପ ଗଢ଼ି ଅନ୍ୟ ଘରକୁ ଆଲୋକିତ କରୁଥିବା ଏହି କୁମ୍ଭକାରଙ୍କ ଜୀବନରେ କିନ୍ତୁ ଆର୍ଥିକ ସମସ୍ୟାର ଅନ୍ଧକାର ରହିଛି। ତେଣୁ କୌଳିକ ବୃତ୍ତିର ସୁରକ୍ଷା ସହ କୁମ୍ଭକାର ପରିବାରକୁ ସରକାରୀ ସହାୟତା, ଆଧୁନିକ ଯନ୍ତ୍ରପାତି ଓ ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବାକୁ ଦାବି ହୋଇଛି। ବାହାର ରାଜ୍ୟର ଦୀପ ଆମ ବଜାରକୁ ମାଡି ଗଲାଣି। ୫୦ ପଇସାରୁ ୧୫ ଟଙ୍କା ପର୍ଯ୍ୟନ୍ତ ଦରରେ ଆମେ ଦୀପ ବେପାରୀଙ୍କୁ ବିକ୍ରି କରୁଛୁ। ଭଲ ମାଟି ମିଳୁନି ସେତିକିରେ ଯାହା ହେଉଛି ସେଇଥିରେ ଚଳୁଛୁ। ସେହିପରି ପବିତ୍ର କୁମାର ମୁଦୁଲି କହିଛନ୍ତି ବର୍ତ୍ତମାନ ମାଟି ଦୀପର ଚାହିଦା ଅଛି ମାଟି ୨୫୦୦ ଟଙ୍କାରେ କିଣୁଛୁ । ଆମ ଦୀପ ଖୋର୍ଦ୍ଧା, ବୋଲଗଡ଼, ଭୁବନେଶ୍ୱରର ବ୍ୟବସାୟୀଙ୍କୁ ବିକ୍ରି କରୁଛୁ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: