ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦୁର୍ଘଟଣା: ୨ ମୃତ

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତରେ ଅଘଟଣ। ହାଟୁଆରୀ ଛକରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଟିଏ ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇଜଣ ହେଲେ ତିହିଡି ଥାନା ଆରସା ଗାଁର ଶରତ ମହାଳିକ ଓ ହାଟୁଆରି ଗାଁର ମାନସ ମଲ୍ଲିକ।
ଉଭୟଙ୍କୁ ଭଦ୍ରକ ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ରାତିରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି । ଡାକ୍ତରଖାନା ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଏସପି କହିଛନ୍ତି ଡିଜେ ଅନୁମତି ନେଇନଥିଲା । ସମ୍ପୃକ୍ତ ଡିଜେ ଗାଡ଼ିକୁ ଜବତ କରାଯାଇଛି ।