Odisha Politics / ମୋକିମ୍ କିଏ ବୋଲି କ'ଣ ଜାଣିନାହାନ୍ତି ଭକ୍ତ ?

Key Points
କଂଗ୍ରେସରେ ମୋକିମ୍ ବିସ୍ଫୋରଣ ପରେ ଭକ୍ତଙ୍କ ପାଇଁ ବିଦ୍ରୋହ ଦମନ ଚ୍ୟାଲେଞ୍ଜ । ଅନ୍ୟ ନେତାଙ୍କୁ ଶୁଣାଇଲେ ଚରମବାଣୀ, କହିଲେ ଦଳରେ ଅଛ ଯଦି ଶୃଙ୍ଖଳାରେ ରୁହ । ନହେଲେ ହେବ କଡ଼ା ଆକ୍ସନ । ପିସିସି ସଭାପତିଙ୍କୁ ଜୟଦେବଙ୍କ ଉପଦେଶ, ସମସ୍ତଙ୍କୁ ନେଇ ଚାଲନ୍ତୁ ।
ମୋକିମଙ୍କୁ ଦଳରୁ ବହିଷ୍କାର ପରେ ମଙ୍ଗଳବାର ମୁଁହ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମୋକିମ କିଏ ବୋଲି ସାମ୍ବାଦିକଙ୍କୁ ପ୍ରଶ୍ନ କରିବା ସହ ଥରେ ମାତ୍ର ଜିତିଥିବା ବିଧାୟକ ଯାହା କୋର୍ଟରେ ରଦ୍ଦ ହୋଇସାରିଛି କହିଛନ୍ତି ଭକ୍ତ । ଏପରିକି ମୋକିମଙ୍କୁ ଦୁର୍ନୀତି ଗ୍ରସ୍ତ ନେତା କହିବା ସହ ଠିକ ଫୋରମ୍ରେ ଆଲୋଚନା ନକରି ରାହୁଲଙ୍କୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ ବୋଲି ପ୍ରତିକ୍ରିୟା ରଖିଛନ୍ତି । ମୋକିମଙ୍କ ବାହାନାରେ ବୟାନ ବାଜି କରୁଥିବା ନେତାଙ୍କୁ ବି ଦେଇଛନ୍ତି ଚରମ ବାଣୀ । ଯାହା ଦଳୀୟ ମହଲରେ ସୃଷ୍ଟି କରିଛି କମ୍ପନ । ଗତାକାଲି ମୋକିମ କହିଥିଲେ ସତ କହିବାରୁ ତାଙ୍କ ଉପରେ ହେଲା ଆକ୍ସନ ।
ସେପଟେ ମୋକିମ ଜଣେ ଦଳର ଆସେଟ ଥିଲେ ଓ ମୋକିମ ସହ ପୂର୍ବରୁ ଆଲୋଚନା କରି ବିବାଦ ତୁଟା ଯାଇ ପାରିଥାନ୍ତା ବୋଲି କହିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା । ତେବେ ଚିଠି ଲେଖି ଗଣମାଧ୍ୟମକୁ ଦେବା ମୋକିମଙ୍କ ବଡ଼ ଭୁଲ ଥିଲା କହିଛନ୍ତି ଜୟଦେବ । ସେପଟେ ହାଇକମାଣ୍ଡଙ୍କୁ ଅଙ୍ଗୁଳି ଉଠାଇବା ମୋକିମଙ୍କୁ କାଳ ହେଲା ବୋଲି କହିଛନ୍ତି ସୁର ରାଉତରାୟ ।
ଗତ କିଛି ମାସ ଭିତରେ ପଦ୍ମାକର ଗୁରୁ, ନିହାର ରଞ୍ଜନ ବେହରାଙ୍କୁ ଶୃଙ୍ଖଳା ଭଙ୍ଗ ପାଇଁ ନିଲମ୍ବନ କରିସାରିଛି ଦଳ । ଏବେ ବିଧାୟକ ରମେଶ ଜେନା ଓ ପିସିସି ସଭାପତିଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ କନ୍ଦଳ ବଢୁଛି ନା ଆକ୍ସନ ହେଉଛି ତାହା ଉପରେ ନଜର।
ଅନ୍ୟପଟେ ସୋମବାର ନିରଞ୍ଜନ ପଟ୍ଟନାୟକ ମଧ୍ୟ ମୋକିମ୍ଙ୍କ ପାଇଁ ମୁହଁ ଖୋଲିଥିଲେ । ସେ କହିଥିଲେ, 'ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ । ୧୯୮୦ ପରଠୁ କଟକରେ କଂଗ୍ରେସ ଜିତି ପାରୁନଥିଲା, ମୋକିମ ଜିତାଇଛନ୍ତି । ଲଗାତାର ୨ ଥର କଟକରେ କଂଗ୍ରେସ ଜିତିଲାଣି, ଏବେ ତାଙ୍କ ଝିଅ ବିଧାୟିକା । ନୂଆପଡ଼ା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଥିଲା । ସେଥିପାଇଁ ଆମେ ସମସ୍ତେ ଦାୟୀ, ତାକୁ ଉପଶମ କରିବାର ଥିଲା । ନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନଥିଲା । ସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟତା ଥାଇପାରେ । ମାତ୍ର ସେ ଯେପରି ଭାବେ ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ୍ ନୁହେଁ । ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ରହିଛି । କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ଅଛି, ବୁଝାଇ ଅଣାଯିବା ଦରକାର ।’
📱 Get Argus News App
✨Related Topics
Explore more stories