ଗଛ କାଟିଲେ ହେବ ଠେଙ୍ଗା ପାହାର

ହାତରେ ଠେଙ୍ଗା , ମୁହଁରେ ମାସ୍କ ପିନ୍ଧି ଘଞ୍ଜ ଜଙ୍ଗଲ ଭିତରେ ଘୁରି ବୁଲୁଛନ୍ତି । ଦିନ ତମାମ ଠେଙ୍ଗା ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ତା ସହ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି ଏହି ମହିଳା। ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନରେ ରହିଛି କଣ୍ଟେଇପଲ୍ଲୀ ଗାଁ । ୨୦୦୨-୦୩ ଆର୍ଥିକ ବର୍ଷରେ ଗଠନ ହୋଇଥିଲା ବନ ସୁରକ୍ଷା ସମିତି । ବର୍ତମାନ ଗାଁର ପାଞ୍ଚଟି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ନେଇ ବନ ସୁରକ୍ଷା ସମିତି ଗଠନ ହୋଇଛି। ଗାଁର ଚତୁର୍ଦ୍ଧିଗରେ ରହିଛି ସଂରକ୍ଷିତ ଜଙ୍ଗଲ । ପାଳି କରି ମହିଳା ମାନେ ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି । ବନ ସୁରକ୍ଷା ସମିତିର ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମରୁ ପାଖାପାଖି ୧୦ ହେକ୍ଟରରୁ ଅଧିକ ପଥରୁଆ ଜମି ଜଙ୍ଗଲରେ ପରିଣତ ହୋଇଛି।
ପ୍ରତିଦିନ ସକାଳୁ ସକାଳୁ ଗାଁର ୫ ମହିଳା ଓ ୫ ପୁରୁଷ ଠେଙ୍ଗା ଧରି ଜଙ୍ଗଲକୁ ବାହାରିପଡ଼ନ୍ତି । ବିଶେଷ କରି ଖରାଦିନେ ଜଙ୍ଗଲ ନିଆଁ ବ୍ୟାପିବାର ଆଶଙ୍କା ରହିଥାଏ । କିଭଳି ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିହେବ ସେ ନେଇ ଦିନସାରା ଜଙ୍ଗଲରୁ ଫାୟର୍ ଲାଇନ କାଟନ୍ତି । ତାସହ ସେଠାକୁ ବଣ ଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ନିଆଁ ଲିଭାଇ ଯିବାକୁ ମଧ୍ୟ ସଚେତନ କରାଇଥାନ୍ତି ମହିଳା ମାନେ ହାତରେ ଠେଙ୍ଗା ଧରି ପାଳି କରି ଜଙ୍ଗଲ ଜଗୁଥିବାରୁ ଜଙ୍ଗଲ ରୁ କାଠ ଚୋରି ମଧ୍ୟବ ବନ୍ଦ ହୋଇଯାଇଛି । ଏବେ ଚତୁଦିଗରେ ଘଞ୍ଚ ଜଙ୍ଗଲ । ସବୁଠାରୁ ବଡ଼ କଥା ହେଲା ଦୀର୍ଘ ୬ ବର୍ଷ ହେଲା ଏହି ଜଙ୍ଗଲରେ ନିଆଁ ଲାଗି ନାହିଁ । କଣ୍ଟେଇପଲ୍ଲୀ ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ଯିଏ ଦେଖୁଛି ସେ ପ୍ରଶଂସା କରୁଛି । ବିନା ପାରିଶ୍ରମିକରେ ନିରନ୍ତର ଭାବେ ଜଙ୍ଗଲ ଜଗି ଆସୁଛନ୍ତି ଗାଁ ଲୋକେ ।
କେବଳ ଘର କାମରେ ସୀମିତ ନୁହଁନ୍ତି ମହିଳା। ଜଙ୍ଗଲ ଜଗୁଛନ୍ତି, ପାଳି କରି ଠେଙ୍ଗାଧରି ଜଙ୍ଗଲରେ ବୁଲନ୍ତି। ବନାଗ୍ନୀରୁ ଗଛକୁ ସୁରକ୍ଷା ଦେଉଛନ୍ତି ବନ୍ୟଜନ୍ତୁଙ୍କ ପାଇଁ ସୁରକ୍ଷା ବାହିନୀ। ଜଙ୍ଗଲ ଲୁଟେରା ଓ ଶିକାରୀଙ୍କ ସତର୍କ କରାଇ ଦେଇଛନ୍ତି। ମହିଳାଙ୍କ ଏଭଳି ପ୍ରୟାସକୁ ବନ ବିଭାଗ ଓ ଅଞ୍ଚଳବାସୀ ସାବାସୀ ଦେଉଛନ୍ତି।