ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ ହେବ ୧୨୦ କୋଟି

ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ୧୨୦ କୋଟିର ଦାୟିତ୍ୱ ନେଲେ ଡବଲ ଇଞ୍ଜିନ ସରକାର । ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉପହାର । ୨୧ଟି ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରିବା ପାଇଁ ୪୨ କୋଟି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ସ୍ୱାସ୍ଥ୍ୟ ଓ ବୌଦ୍ଧିକ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର ।
ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି । ଆଜି କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେଇଥିଲେ । ଯେଉଁଥିରେ ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା । ଡବଲ ଇଞ୍ଜିନ ସରକାରର ପ୍ରଚେଷ୍ଟା କାରଣରୁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଆଜି ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଲେଖାଁଏ ଅର୍ଥାତ୍ ମୋଟ୍ ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ସେହିପରି ପାଟଣାଗଡ଼ ଉଲବାଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ। ବଲାଙ୍ଗିର ଜିଲ୍ଲାକୁ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉପହାର ଭାବରେ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ବ୍ୟତିତ ମୋଦି ସରକାରରେ ବଲାଙ୍ଗିର ଜିଲ୍ଲାରେ ୨୧ଟି ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯାଉଛି । ଏଥିପାଇଁ ପ୍ରତ୍ୟେକ ସ୍କୁଲକୁ ୨ କୋଟି ଲେଖାଏଁ ମୋଟ ୪୨ କୋଟି ଟଙ୍କାର ଅନୁଦାନର ବ୍ୟବସ୍ଥା ହୋଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଟଙ୍କା ପିଏମ ଉଷା ଯୋଜନାରେ ଦିଆଯାଇଛି । ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେ କହିଛନ୍ତି ।
ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କ ପ୍ରାଥମିକତାରେ ରହିଛି । ଏହି ଜିଲ୍ଲାରେ କୃଷି ବିଦ୍ୟାଳୟ, ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଖୋଲାଯିବା ଉପରେ ଯୋଜନା ରହିଛି ।