ଓଡ଼ିଶା ଆସିବା ବେଳେ ନିଜ ଜନ୍ମମାଟିକୁ ଭୁଲିଯାଆନ୍ତି ନାହିଁ ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: 5 ଦିନିଆ ଓଡିଶା ଗସ୍ତର ଶେଷ ଦୁଇ ଦିନ ନିଜ ଜନ୍ମମାଟି ମୟୂରଭଞ୍ଜରେ ବିତାଇଛନ୍ତି ରାଷ୍ଟ୍ରପତି । ଆଜି ଶେଷ ଦିନରେ ବାଙ୍ଗିରିପୋଷିଠାରେ କରିଛନ୍ତି 6400 କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାମର ଭିତ୍ତିସ୍ଥାପନ । ବାଙ୍ଗିରିପୋଷିରୁ ଗୋରୁମହିଷାଣି, ବାଦାମପାହାଡ଼ରୁ କେନ୍ଦୁଝରଗଡ଼ ଓ ବୁଢ଼ାମରାରୁ ଚାକୁଳିଆକୁ ରେଳ ସଂଯୋଗ ପାଇଁ 3ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । କହିଛନ୍ତି ଏହି ପ୍ରକଳ୍ପ ସବୁ ଜିଲ୍ଲାରେ ଯୋଗାଯୋଗ ଓ ବାଣିଜ୍ୟ ବୃଦ୍ଧି ଦିଗରେ ସହାୟକ ହେବ । ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଆରମ୍ଭ ହେବାକୁ ଯାଉଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁଠି ବି ଥିଲେ ନିଜ ଅଞ୍ଚଳ ପାଇଁ କାମ କରିବାକୁ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି ।
ରାଇରଙ୍ଗପୁରରେ ଜନଜାତି ବିକାଶ ଗବେଷଣା କେନ୍ଦ୍ର, ଦାଣ୍ଡବସ ଏୟାରଷ୍ଟ୍ରିପ୍ ଓ ସୁପରସ୍ପେଶାଲିଟି ହସ୍ପିଟାଲ ପାଇଁ ବି ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ସମେତ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ବି ଏଥିରେ ଯୋଗ ଦେଇଥିଲେ ।
ଗତକାଲି ନିଜ ଗାଁ ଉପରବେଡ଼ା ସହ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହାମହିମ। ଦେଶର ସର୍ବୋଚ୍ଚ ପଦରେ ଥାଇ ବି ନିଜ ଗାଁକୁ ଆସୁଛନ୍ତି। ସାଧାରଣ ଲୋକଙ୍କ ସହ ମିଶୁଛନ୍ତି, ହାତରେ ହାତ ମିଶାଇ ନାଚୁଛନ୍ତି । ନିଜ ସ୍କୁଲକୁ ଯାଇ ପିଲାଙ୍କ ସହ ଅନୁଭୂତି ବାଣ୍ଟୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ନମ୍ରତା ସମସ୍ତଙ୍କୁ ଆକୃଷ୍ଟ କରିଛି ।