Foreign Cigarettes / ୨୫ ପ୍ୟାକେଟ ବିଦେଶୀ ସିଗାରେଟ, ୪ ହଜାର ପିସ୍ ସିଗାର ଜବତ

Key Points
ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ। ୩୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ କଲା ଡିଆରଆଇ ଓ କଷ୍ଟମ ବିଭାଗ। ବେଆଇନ ଚାଲାଣ ବେଳେ ଧରା ପଡିଛି ୩୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ । ଦୁବାଇରୁ ଭୁବନେଶ୍ୱର ଦେଇ ମୁମ୍ୱାଇ ଚାଲାଣ ହେଉଥିଲା। ୨୫ ପ୍ୟାକେଟ ସିଗାରେଟ ସହ ୪ ହଜାର ପିସ୍ ସିଗାର ଜବତ ହୋଇଛି।
ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କଷ୍ଟମ ବିଭାଗ। କଷ୍ଟମ ଆକ୍ଟ ୧୯୬୨ ଆଧାରରେ ସବୁ ଜିନିଷ ଜବତ କରି ଅଧିକ ଛାନଭିନ୍ ଜାରି ରହିଛି। ତେବେ ଏହି ଚାଲାଣ ପଛରେ କେଉଁ ରାକେଟ ରହିଛି କି ନାହିଁ ଏବଂ କେବେଠୁ ଏମିତି ଚାଲାଣ ଚାଲୁଛି ତାର ତଦନ୍ତ ମଧ୍ୟ ଜାରି ରହିଛି।
ଅନ୍ୟପଟେ ବ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ସେହିପରି ବାହାର ଜିଲାରୁ ବ୍ରାଉନସୁଗର ଆଣି ବ୍ରହ୍ମପୁର ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ନେଇ ବିକ୍ରିବଟା କରାଯାଉଥିବା ଅବକାରୀ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ମଙ୍ଗଳବାର ଅବକାରୀ ବିଭାଗ ଖବର ପାଇ ଗୁଇନ୍ଦା ଡିଏସପି ଶୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଏକ ପଲସର ବାଇକ ନଂ (ଓଡ଼ି୩୨ଏଲ- ୪୧୫୦)ଅଟକାଇ ଯାଞ୍ଚ କରିଥିଲା।
ବାଇକରେ ଥିବା ଦୁଇଜଣ ଯୁବକଙ୍କ ନିକଟରୁ ୧୫୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଥିଲା। ଉକ୍ତ ଦୁଇଜଣ ଯୁବକ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ନରେଶ ଦଳାଇ ଓ ରକେଶ ସ୍ୱାଇଁ । ଜେରା ବେଳେ ସେମାନେ ଉକ୍ତ ବ୍ରାଉନସୁଗର ଭଦ୍ରକରୁ ଆଣି ଟ୍ରେନରେ ବ୍ରହ୍ମପୁର ଆସିଥିଲେ ବୋଲି ଜଣାପଡ଼ିଛି । ରେଳ ଷ୍ଟେସନରେ ପୂର୍ବରୁ ପାର୍କିଂ କରିଥିବା ବାଇକରେ କବିସୂର୍ଯ୍ୟନଗର ଯାଇ ସେଠାରେ ଉକ୍ତ ବ୍ରାଉନସୁଗର ବିକ୍ରି କରିଥାନ୍ତେ ବୋଲି ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡ଼ିଛି ।
ଏପରିକି ପୂର୍ବରୁ ମଧ୍ୟ ସେମାନେ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ଅନେକଥର ବ୍ରାଉନସୁଗର ଆଣି ବିକ୍ରି କରିଥିବା ବେଳେ ପ୍ରଥମ ଥର ପୋଲିସ ହାବୁଡ଼ରେ ଧରାପଡିଥିବା ଜଣାପଡିଛି । ଜବତ ବ୍ରାଉନସୁଗର ଓ ବାଇକର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଡିଏସପି ଶୃତିକାନ୍ତ ରାଉତ କହିଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।
📱 Get Argus News App
✨Related Topics
Explore more stories