Videos
|
Odisha

President Murmu Odisha / ନଭେମ୍ବର ୩ରୁ ତିନିଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ଜାହେର ଥାନ ସହ କିଚେକେଶ୍ୱରୀ ମନ୍ଦିରର ହେବ ବିକାଶ

Ritu Das
Browse all articles by Ritu Das
·30 mins ago·2 min read
ନଭେମ୍ବର ୩ରୁ ତିନିଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ଜାହେର ଥାନ ସହ କିଚେକେଶ୍ୱରୀ ମନ୍ଦିରର ହେବ ବିକାଶ
India

Key Points

ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଦିବାସୀ ସଂସ୍କୃତିକୁ ମିଳିବ ପ୍ରୋତ୍ସାହନ, ୩୭ଟି ଜାହେର ଥାନର ବିକାଶ ପାଇଁ ଶିଳାନ୍ୟାସ

ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ନିଜର ତିନିଦିନିଆ ମୟୂରଭଞ୍ଜ ଗସ୍ତ ଅବସରରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ସହ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ ଏବଂ ଆଦିବାସୀ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ସାମିଲ ହେବେ।

ପ୍ରଥମ ଦିନ - ନଭେମ୍ବର ୩ରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାହାରି ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ। ସେ ବହଳଦା ସ୍ଥିତ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତିରେ ସାମିଲ ହେବା ପରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ।

ଦ୍ୱିତୀୟ ଦିନ - ନଭେମ୍ବର ୪ ସକାଳେ ରାଇରଙ୍ଗପୁର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ କ୍ୟାଣ୍ଟିନ୍ ପରିଦର୍ଶନ କରିବେ ଏବଂ ୩ ଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରିବେ। ଏହାପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ହିନ୍ଦୁଜା ହସ୍ପିଟାଲ ମଧ୍ୟରେ ନେଫ୍ରୋଲୋଜି ମେଡିକାଲ କ୍ୟାମ୍ପ ପାଇଁ MoU ସ୍ୱାକ୍ଷରିତ ହେବା ସହ ମେଡିକାଲ ଭ୍ୟାନ୍‌ର ଶୁଭାରମ୍ଭ ହେବ। ରାଷ୍ଟ୍ରପତି ପ୍ରାୟ ୧୨୦ ଜଣ 'ଜାହେର ଥାନ'ର ମୁଖିଆଙ୍କ ସହ ଆଦିବାସୀ ପରମ୍ପରା ଓ ପୂଜାସ୍ଥଳୀର ସୁରକ୍ଷା ନେଇ ଆଲୋଚନା କରିବେ। ଅପରାହ୍ନରେ ରାଇରଙ୍ଗପୁର କଚେରି ପଡ଼ିଆଠାରେ 'ପ୍ରସାଦ' ଯୋଜନା ଅଧୀନରେ ମା’ କିଚେକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଏବଂ ୩୭ଟି ଜାହୀର ଥାନର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରେଳ ଯୋଗାଯୋଗ କ୍ଷେତ୍ରରେ ବାଦାମପାହାଡ଼-ପୁରୀ ମଧ୍ୟରେ ନୂତନ ଦୈନନ୍ଦିନ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ ସହ ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନ୍‌ର ଉଦ୍‌ଘାଟନ ହେବ। ଏଥିସହ ସ୍ପୋର୍ଟସ୍ ହଷ୍ଟେଲ୍ ଘୋଷଣା, ଗୋଶାଳା ଏବଂ 'ଏସେକା' କୋଠା ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।

ତୃତୀୟ ଦିନ ନଭେମ୍ବର ୫ - ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିକିଲ୍ ସେଲ୍ ଆନିମିଆ ରୋଗୀଙ୍କ ସହ ଆଲୋଚନା କରିବେ। ପରେ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଓ ଗୋରୁମହିଷାଣୀ ଆଇରନ୍ କଲେଜ ପରିଦର୍ଶନ କରିବା ସହ ଜାହେର ଥାନ ପାଇଁ ଶାଳ ଓ ମହୁଲ ଗଛ ରୋପଣ କରିବେ। କାର୍ଯ୍ୟକ୍ରମ ସାରି ସେ ସଡ଼କ ପଥରେ କଳାଇକୁଣ୍ଡା ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: