ବିଜେପି ଅଭିଯୋଗ କଲା, ନିର୍ବାଚନ କମିଶନ ଆକ୍ସନ ନେଲେ

Key Points
- ପଦ ହରାଇଲେ ପାଣ୍ଡିଆନ !
- ବିଜେପିର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ନେଲେ ନିର୍ବାଚନ କମିଶନ
- ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର
ଅର୍ଗସ ବ୍ୟୁରୋ : କ୍ଷମତାର ଅପବ୍ୟବହାର ପାଣ୍ଡିଆନଙ୍କ ମହଙ୍ଗା ପଡିଲା । ପ୍ରଶାସନିକ ଚାକିରିରୁ ଅବସର ନେବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅଧିକାଂଶ କାମରେ ଅଯଥାରେ ମୁଣ୍ଡ ପୂରାଉଥିଲେ । ଖାଲି ମୁଣ୍ଡ ପୂରାଉଥିଲେ ତାହା ନୁହେଁ ବରଂ ଗୋଟିଏ ପ୍ରକାର ସରକାର ଚଳାଉଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ମୋଟ୍ ଉପରେ ଗତ ନଭେମ୍ବର ମାସରେ ଚାକିରି ଛାଡ଼ି ଫୁଲ୍ ଟାଇମ୍ ପଲିଟିସିଆନ୍ ହୋଇଥିଲେ ଭି. କେ ପାଣ୍ଡିଆନ । ରାଜନୈତିକ ଦଳରେ ମିଶିଲେ, ବିଜେଡି ପାଇଁ ପ୍ରଚାର କଲେ । କିନ୍ତୁ 5T ଅଧ୍ୟକ୍ଷ ପଦରେ ରହି ସବୁ ସରକାରୀ ସୁବିଧା ସୁଯୋଗର ଉପଭୋଗ କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଚରମ ଉଲ୍ଲଂଘନ । ଏବେ ବିଜେପି ପକ୍ଷରୁ ବିରୋଧ ପରେ ପଦରୁ ହଟିଛନ୍ତି ପାଣ୍ଡିଆନ। ତେବେ ଏ ପ୍ରସଙ୍ଗରେ ବିଜେପି କହିଛି, ଆଚରଣ ବିଧି ଉଲ୍ଲଂଘନର ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ ସୁବିଧା ବି ପ୍ରତ୍ୟାହାର କରିବାକୁ ଦାବି କରିଛି ଦଳ ।
📱 Get Argus News App
✨ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ସମ୍ପର୍କରେ ବିଜେପି ସି - ଭିଜିଲ ଆପରେ ଅଭିଯୋଗ କଲା ପରେ ପାଣ୍ଡିଆନଙ୍କୁ 5T ଅଧ୍ୟକ୍ଷ ପଦରୁ ହଟାଇଲେ ରାଜ୍ୟ ସରକାର । ପାଣ୍ଡିଆନ 5-T ଦାୟିତ୍ୱରେ ରହିବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିଲେ । କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ଏତେ ଦିନ ହେଲା କାହିଁକି 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ହଟାଇ ନଥିଲେ ? ଏହା ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ କି ? ଏହା କ'ଣ ଅବାଧ ନିର୍ବାଚନ କି ? କିଛି ଏମିତି ପ୍ରଶ୍ନ କରିଛି ବିଜେପି ।
ମୋଟ୍ ଉପରେ ଭି.କେ. ପାଣ୍ଡିଆନ ନଭେମ୍ବର ୨୦୨୩ରେ ବିଜେଡିରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଜଣେ ରାଜନୈତିକ ଦଳର ସଦସ୍ୟ । କିନ୍ତୁ ଦଳରେ ସାମିଲ ହେବା ପରଠୁ ସରକାରୀ ଅଫିସର ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ ଥିଲେ । 5T ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ତାଲିକାରେ ତାଙ୍କ ବି ନାଁ ଥିଲା । ତେବେ ଜଣେ ବ୍ୟକ୍ତି ରାଜନୈତିକ ଦଳରେ ଥାଇ ସରକାରୀ ଅଫିସର ଭାବେ 5T ଅଧ୍ୟକ୍ଷ କେମିତି ଥିଲେ ? ତାହାକୁ ନେଇ ସରକାରକୁ କାଠଗଡାକୁ ଟାଣିଛି ବିଜେପି ।
ବିଜେପିର ଅଭିଯୋଗ ଆଧାରରେ ଇସିଆଇଙ୍କ ନିର୍ଦ୍ଦେଶ ପରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଫିସର ତାଲିକାରୁ ପାଣ୍ଡିଆନଙ୍କ ନାଁ ହଟାଇଛନ୍ତି ରାଜ୍ୟ ସରକାର । ତେବେ ପାଣ୍ଡିଆନ ସରକାରୀ ଅଫିସର ତାଲିକାରୁ ହଟିବା ପରେ ତାଙ୍କୁ ଦିଆଯାଉଥିବା ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ପାଣ୍ଡିଆନ ଆଉ କୌଣସି ସରକାରୀ ପଦବୀରେ ନାହାନ୍ତି । ସେ ବିଜେଡିର ଜଣେ ସାଧାରଣ ନେତା । ତେଣୁ ତାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁରକ୍ଷା ମଧ୍ୟ ହଟାଇ ନିଆଯାଉ । ଏହାସହ ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ ସୁବିଧା ମଧ୍ୟ ରାଜ୍ୟ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ବିଜେପି । ତେବେ ସରକାରୀ ଅଫିସର ପଦରୁ ହଟିବା ପରେ ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ ସେବା ପ୍ରତ୍ୟାହାର କରିବେ କି ନାହିଁ, ଏବେ ତାହା ଉପରେ ରହିଛି ନଜର ।