|
logo
Live

Argus News - ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ

Odisha

ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ

Key Points

  • ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ
  • ଜନବସତିରେ ପଶି ଘର ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ
  • ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ଗତିବିଧି ଉପରେ ରଖାଯିବ ନଜର

ଅର୍ଗସ ବ୍ୟୁରୋ : ହାତୀ ଉତ୍ପାତରୁ ମିଳିବ ତ୍ରାହି । ସାବାଡ୍‌ ହେବେ ଉତ୍ପାତିଆ ହାତୀ । ଜନବସତିରେ ପଶି ଲୋକଙ୍କ ଘରଦ୍ଵାର ଭାଙ୍ଗୁଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କାରଣ ହାତୀ ଦେହରେ ପ୍ରଥମେ ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ପୁରା ଗତିବିଧି ଉପରେ ନଜର ରଖାଯିବ । ସେମାନେ କେଉଁ ଆଡ଼େ ଯାଉଛନ୍ତି? କେତେ ଲୋକଙ୍କ ଘରଦ୍ଵାର ଭାଙ୍ଗୁଛନ୍ତି ? କ୍ଷୟକ୍ଷତି ପରିମାଣ କେତେ ? ଏ ସବୁର ତନାଘନା ହେବ । ଏମିତିକି ରେଡିଓକଲାର୍ ଲାଗିବା ପରେ ବି ଯଦି ହାତୀ ବୋଲ ନମାନି ଉତ୍ପାତ କରିବ ତେବେ ତାକୁ ଅଭୟାରଣ୍ୟ ଭିତରେ ଆବନ୍ଧ କରି ରଖାଯିବ । ହାତୀ ଯେମିତି ଜଙ୍ଗଲ ବାହାରକୁ ନଯାଏ ସେଥିପାଇଁ ‌ବନ ବିଭାଗ କର୍ମଚାରୀ ୨୪ ଘଣ୍ଟିଆ ନଜର ବି ରଖିବେ । ଏହାସହ ଯଦି ସୁଫଳ ନ ମିଳିଲା ତେବେ ହାତୀକୁ ଆୟତ୍ତ କରାଯାଇ ସ୍ଵତନ୍ତ୍ର ତାଲିମ ବି ଦିଆଯିବ । ବାରମ୍ବାର ହାତୀ ଘର ଭାଙ୍ଗୁଥିବା ଅଭିଯୋଗ ଆସିବା ପରେ କିଛି ଏମିତି ନିଷ୍ପତ୍ତି ନେଇଛି ବନବିଭାଗ ।

ଅନେକ ସମୟରେ ଖବର ଆସେ କି ହାତୀ ଉତ୍ପାତ ପାଇଁ ଧନଜୀବନ ନଷ୍ଟ ହେଉଛି । ଖାଲି ଘର ନଷ୍ଟ ହେଉଛି ତାହା ନୁହେଁ ବରଂ ଅନେକ ଜୀବନ ବି ଯାଉଛି । ସେଇଥି ଲାଗି ତ ସରକାର କରୁଛନ୍ତି ମାଷ୍ଟର ପ୍ଲାନ୍‌ । ମିଳିଥିବା ସୂଚନା ଅନୁସାରେ, ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହାତୀଙ୍କ ପ୍ରୋଫାଇଲିଂ ପ୍ରସ୍ତୁତ ଆରମ୍ଭ ହେଉଛି । କେଉଁ ଅଭୟାରଣ୍ୟରେ କେତୋଟି ହାତୀ ଧନଜୀବନ ନଷ୍ଟ କରୁଛନ୍ତି ତାହାର ତାଲିକା ପ୍ରସ୍ତୁତି ଚାଲିଛି । ଖାସ୍‌ କରି କେନ୍ଦୁଝର ଜିଲ୍ଲାରେ ଦୁଇଟି ଉତ୍ପାତିଆ ହାତୀଙ୍କୁ ଚିହ୍ନଟ କରାଯାଇଛି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବି ଦୁଇଟି ହାତୀ ରହିଛନ୍ତି, ଯେଉଁମାନଙ୍କ ପ୍ରୋଫାଇଲିଂ ଆରମ୍ଭ ହୋଇଛି । ସେମାନେ କେଉଁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ଏବଂ କେତେ କ୍ଷୟକ୍ଷତି କରୁଛନ୍ତି ତାହାର ତାଲିକା ପ୍ରସ୍ତୁତ ହୋଇଛି ।

ସୂଚନା ଅନୁସାରେ, ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ଅଭୟାରଣ୍ୟରେ ଉତ୍ପାତିଆ ହାତୀଙ୍କ ପ୍ରୋଫାଇଲିଂ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ହାତୀଙ୍କ ବେକରେ ରେଡିଓକଲାର ଲଗାଇବା ପ୍ରକ୍ରିୟାକୁ ଫଳପ୍ରଦ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୱାଇଡ୍‌ଲାଇଫ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ସହାୟତାରେ ବନ ବିଭାଗ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ହେବ । ଯେଉଁଥିରେ ଡବ୍ଲୁଆଇଆଇର ବିଶେଷଜ୍ଞଙ୍କ ସହ ଦକ୍ଷିଣ ଆଫ୍ରିକାର ହାତୀ ବିଶେଷଜ୍ଞ ସାମିଲ ହେବେ । ଗୋଟିଏ ସପ୍ତାହ ଧରି ଚାଲିବାକୁ ଥିବା ତାଲିମରେ ପ୍ରାଣୀ ଚିକିତ୍ସକ, ବନଖଣ୍ତ ଅଧିକାରୀ, ସହକାରୀ ବନଖଣ୍ଡ ଅଧିକାରୀମାନେ ସାମିଲ ହେବେ । ୩୦ଜଣ ସାମିଲ ହେବାକୁ ଥିବା ବେଳେ ସେଥିମଧ୍ୟରେ ୫୦% ପ୍ରାଣୀ ଚିକିତ୍ସକ ରହିବେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ତାଲିମ ନେଇଥିବା ଅଧିକାରୀଙ୍କୁ ସାତକୋଶିଆ କିମ୍ବା ଦେବ୍ରିଗଡ଼ ଅଭୟାରଣ୍ୟକୁ ନିଆଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଉତ୍ପାତିଆ ହାତୀଙ୍କ ଦ୍ଵାରା ବହୁ ଧନଜୀବନ ନଷ୍ଟ ହେଉଛି । ସେମାନେ ଲୋକଙ୍କ ଘର ଭାଙ୍ଗୁଛନ୍ତି । ଫସଲ ବି ନଷ୍ଟ କରୁଛନ୍ତି । କେତେକ ସ୍ଥାନରେ ହାତୀମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉନ୍ତି । ଏଭଳି ସମସ୍ୟା ଏଡ଼ାଇବା ସହ ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବାକୁ ‌ଜଙ୍ଗଲରେ ଡ୍ରୋନ୍‌ ମୁତୟନ ହୋଇଛି । ତେଣୁ  ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ତେବେ ଆଗାମୀ ଦିନରେ ଜଣାପଡ଼ିବ ରେଡିଓକଲାର୍ କେତେ କାମ ଦେଉଛି ।

 

Sponsored
ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ | Argus News