ବବିଙ୍କ ସମ୍ବଲପୁର ସଭାକୁ ଯାଉନାହାନ୍ତି ଲୋକେ ?

Key Points
- ଆମଦାନୀ ନେତାଙ୍କୁ ପସନ୍ଦ କରୁନାହାନ୍ତି ସମ୍ବଲପୁରବାସୀ
- ବବିଙ୍କ ସଭାକୁ ଯାଉନାହାନ୍ତି ଲୋକେ
- ଚେୟାର ଖାଲି, ଟେବୁଲ ଖାଲି
- ଏମିତି ସ୍ଥିତିରେ ବବିଙ୍କର ବିଜୟ ହେବ କେମିତି ?
ଅର୍ଗସ ବ୍ୟୁରୋ: ବବିଙ୍କ କାର୍ଯ୍ୟକ୍ରମରେ ଘୋଷକ ଜଣକଙ୍କର ତଣ୍ଟି ଶୁଖିଯିବଣି । ଖରାରେ ଡାକିଡାକି ଥକିପଡିଲେଣି ସେ...ହେଲେ ବବି ବାବୁଙ୍କ ସଭାରେ ଜଣେ ହେଲେ ବି ବସିବାକୁ ନାରାଜ । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି ବୁଝିପାରିବେ ସମ୍ବଲପୁର ପରି ସମ୍ମାନଜନକ ଆସନରେ ବବିଙ୍କୁ କେତେ ଗ୍ରହଣ କରୁଛନ୍ତି ଲୋକେ । ସେଇଥି ଲାଗି ତ ଗତକାଲିର ସଭାରେ କେହି ବି ବସିଲେନି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
ଆମଦାନୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ସମ୍ବଲପୁରବାସୀ । ସେଇଥି ଲାଗି ତ ବବିଙ୍କ ସଭାରେ ଖାଲି ପଡିଥିଲା ଚେୟାର । ଏଠାରେ ସ୍ପଷ୍ଟ କରୁଛୁ କି, ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ବବିଙ୍କୁ ସମ୍ବଲପୁର ଆସନରୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଣବ ପ୍ରଚାର ବି ଆରମ୍ଭ କଲେଣି । ପୂର୍ବରୁ ରେଢାଖୋଲରେ ବି ତାଙ୍କୁ ବିରୋଧ କରାଯାଇଥିଲା । ହେଲେ ଗତକାଲିର ଦୃଶ୍ୟ ପୁରା ସ୍ପଷ୍ଟ କରିଦେଇଛି କି ତାଙ୍କୁ ସମ୍ବଲରପୁରବାସୀ ଗ୍ରହଣ କରୁନାହାନ୍ତି ।
ବବି ଯୁଆଡ଼େ ଯାଉଛନ୍ତି, ସିଆଡ଼େ ବିରୋଧର ସାମ୍ନା କରୁଛନ୍ତି । ବବି ବାବୁଙ୍କର ଚାରିଆଡେ ଫଟୋ ମରାଯାଇଛି । ସଭା ଲାଗି ବିରାଟ ମଂଚ ବି ବନ୍ଧାଯାଇଛି । ମାଇକ୍ରେ ଜୋରଦାର ପାଟିରେ ଲୋକଙ୍କୁ ଗହଳି କରିବାକୁ ଡକାଯାଉଛି । ହେଲେ ଲୋକେ ଯିବାକୁ ନାରାଜ । କାରଣ ସେମାନେ ବି ଜାଣିସାରିଛନ୍ତି ଆମଦାନୀ ନେତା ସେମାନଙ୍କର ବିକାଶ କରିପାରିବେ ନାହିଁ । ସେଇଥି ଲାଗି ଆଜି ଏମିତି ସ୍ଥିତି ଉପୁଜିଛି । ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ନିର୍ବାଚନମଣ୍ଡଳି ଅନ୍ତର୍ଗତ ଦେବଗଡରେ ଆଜି ନିର୍ବାଚନି ବୈଠକ ଥିଲା । ହେଲେ ମଂଚରେ ଲୋକଙ୍କ ଦେଖାନଥିଲା । ତେଣୁ ଲୋକଙ୍କୁ ଏକତ୍ରୀତ କରିବାକୁ ନେତାଏ ଯେତେ ପ୍ଲାନ କରିଥିଲେ ବି ସମ୍ଭବ ହୋଇନଥିଲା । ମୋଟ୍ ଉପରେ ଏ ଦୃଶ୍ୟ ହିଁ ବୟାନ କରିଛି କି, ବବିଙ୍କୁ ଗ୍ରହଣ କରିପାରୁନାହାନ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ରର ଜନତା ।