ଡିଜେ ଲଢେଇ; ଦୁଇ ଡିଜେ ଗାଡି ଜବତ, ଦୋକାନ ସିଲ୍

Key Points
ବ୍ରହ୍ମପୁରର ଡିଜେ ଲଢେଇକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା
ଗାଡିକୁ ଗାଡି ଧକ୍କା କରି ପ୍ରତିଯୋଗିତା
ଆକ୍ସନ ମୋଡରେ ପୋଲିସ ପ୍ରଶାସନ
ବ୍ରହ୍ମପୁରର ଡିଜେ ଲଢେଇକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା । ଗାଡିକୁ ଗାଡି ଧକ୍କା କରି ପ୍ରତିଯୋଗିତା...ବେଆଇନ ବେଫିକର ଭାବେ ଘଣ୍ଟାଏ ଧରି ଚାଲିଥିଲା ଡିଜେ ଲଢେଇ । ଶହ ଶହ ଲୋକ ଥିଲେ ହେଲେ କେହିବି ଶୁଣିବାକୁ ନାରାଜ । ସମସ୍ତେ ମସଗୁଲ ଥିଲେ ଏହି ଡିଜେ ଲଢେଇରେ ।
ଆପଣ ଷଣ୍ଢ ଲଢେଇ କିମ୍ବା ଗଞ୍ଜା ଲଢେଇ ଦେଖିଥିବେ ହେଲେ ଏବେ ବ୍ରହ୍ମପୁର ଫୁଲଟା ଗ୍ରାମର ଡିଜେ ଲଢେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଶୁକ୍ରବାର ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଦୁଇ ସାହିର ଗଣେଶ ପୂଜା ବିସର୍ଜନ ପାଇଁ ପ୍ରସେସନ ହୋଇଥିଲା । ଦୁଇଟି ଡିଜେକୁ ଦୁଇଟି ଗଣେଶ ପୂଜା କମିଟି ବଜାଇ ଗାଁ ବୁଲୁଥିଲେ । ଏହି ସମୟରେ ଗୋଟିଏ ସାହିରେ ଦୁଇଟି ଡିଜେ ଟ୍ରକ ମୁହାଁମୁହିଁ ହୋଇଥିଲେ ।
📱 Get Argus News App
✨ଏହାପରେ ଦୁଇ ଡିଜେ ଟ୍ରକ ପଛକୁ ପଛ ଧକ୍କା ମାରି ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଲଢ଼େଇ । ଦୀର୍ଘ ୩୦ ମିନିଟ୍ ରୁ ଅଧିକ ସମୟ ଧରି ଦୁଇ ଡିଜେ ଟ୍ରକ ପରସ୍ପରକୁ ପଛପଟୁ ଧକ୍କା ଦେଇଥିଲେ । ଦୁଇ ଡିଜେ ଟ୍ରକ ଉପରେ ପ୍ରାୟ ୧୦ରୁ ଅଧିକ ଯୁବକ ଥିବାବେଳେ ଦୁଇ ଟ୍ରକର ଚତୁଃପାର୍ଶ୍ଵରେ ମଧ୍ୟ ଶତାଧିକ ଲୋକ ରହିଥିଲେ । ଏଭଳି ଦୁଇ ଡିଜେ ମଧ୍ୟରେ ହୋଇଥିବା ଲଢ଼େଇରେ ସାମାନ୍ୟ ଅସାବଧାନତା ହୋଇଥିଲେ ଅନେକଙ୍କ ଜୀବନ ଯିବା ସୁନିଶ୍ଚିତ ।
ଏଭଳି ଏକ ଛାତିଥରା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଆକ୍ସନ ମୋଡରେ ପୋଲିସ ଓ ଜିଲ୍ଲା ପ୍ରଶାସନ । ଦୁଇ ଡିଜେକୁ ଜବତ କରାଯିବା ସହ ଡିଜେ ଦୋକାନକୁ ମଧ୍ୟ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।