ଛଳ ଛଳ ଆଖିରେ ବୀର ପୁଅକୁ ବିଦାୟ ଦେଉଛନ୍ତି ସମସ୍ତେ

ଅର୍ଗସ ବ୍ୟୁରୋ: ଗୋଟେ ପଟେ ସହିଦ ଯବାନ ପ୍ରତାପ ରଞ୍ଜନ ପରିଡ଼ା ଅମର ରହେ, ବନ୍ଦେ ମା ତରମ ନାରାରେ କମ୍ପୁଛି ଅଞ୍ଚଳ । ଆଉ ଅନ୍ୟପଟେ ଧର୍ଯ୍ୟହରା ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ତୁହାକୁ ତୁହା ଚେତା ବୁଡି ଯାଉଛନ୍ତି ସ୍ତ୍ରୀ । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟିପଡୁଛି । ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ବନ୍ଧୁ ପରିଜନ ।
ଓଡ଼ିଆ ଯବାନ ସହିଦ, ଗାଁରେ ଶୋକାକୁଳ ପରିବେଶ
ଜୀବନ ଯୁଦ୍ଧରେ ହାରି ପଞ୍ଚଭୂତରେ ଲୀନ ହୋଇଛନ୍ତି ଗୋପ ବ୍ଲକର ଓଡ଼ିଆ ସହିଦ ପ୍ରତାପ ପରିଡା । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ବେଳେ ପ୍ରାଣ ହରାଇଥିଲେ ପ୍ରତାପ । ରବିବାର ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଥିଲା। ଆଜି ସକାଳୁ ଖୋର୍ଦ୍ଧା ସ୍ଥିତ ବିଏସଏଫ କ୍ୟାମ୍ପ ଓ ପରେ ଏକ ବିରାଟ ପଟୁଆରରେ ପ୍ରଥମେ ପିପିଲି, ଗୋପ ବ୍ଲକ ପରିକ୍ରମା କରି ଶେଷରେ ତାଙ୍କ ମଲ୍ଲ ଗ୍ରାମ ସ୍ଥିତ ବାସଭବନକୁ ନିଆଯାଇଥିଲା ।
📱 Get Argus News App
✨ରାସ୍ତାରେ ହଜାର ଶୁଭେଚ୍ଛୁ ପ୍ରତାପଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରତାପଙ୍କ ବାସଭବନରେ ମଧ୍ୟ ଶେଷ ଦର୍ଶନ ପାଇଁ ଭିଡ ଜମିଥିଲା । ଅପରାହ୍ନରେ ଶୋକାକୂଳ ପରିବେଶରେ ପ୍ରତାପଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ସହିଦ ହୋଇଯାଇଛନ୍ତି ସତ କିନ୍ତୁ ସମସ୍ତଙ୍କ ମନରେ ଅମର ହୋଇ ଯାଇଛନ୍ତି ପ୍ରତାପ ।