ବିଦେଶରେ ବି ବେଶ ଧୁମ୍ଧାମ୍ରେ ରଜ ପାଳିଛନ୍ତି ପ୍ରବାସୀ

Key Points
ମହିଳାମାନେ କୁଆଁରୀ ଝିଅଙ୍କୁ କୁଙ୍କୁମ ଓ ଅଳତା ଲଗାଇ ବେଶ କରାଇଥିଲେ ।
ଓଡ଼ିଶା ପିଠା, ପାନର ମଜା ନେବା ସହିତ, କବାଡି, ପୁଚି ଖେଳ, ତାସ ଓ ଲୁଡୋ ଖେଳ ଖେଳିଥିଲେ ।
ଆସିଛି ରଜ । ରଜରେ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ରଜରେ ଝିଅମାନେ ସଜବାଜ ହୋଇ ଦୋଳି ଖେଳି, ପୋଡ ପିଠା ଖାଇ, ପାଦରେ ଅଳତା ଲଗାଇ ପାଳିଛନ୍ତି ରଜ । ଏଥିରେ ପଛରେ ପଡିନାହାଁନ୍ତି ପ୍ରବାସୀ । ସାଉଦି ଆରବ ଓ ଅଷ୍ଟ୍ରେଲିଆରେ ବି ହୋଇଛି ରଜ ପାଳନ । ସାଉଦି ଆରବର ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା" ତରଫରୁ ବହୁ ଆଡମ୍ବର ସହକାରେ ରଜ ମଉଜ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପିଠାପଣାକୁ ନେଇ ସ୍ୱତନ୍ତ୍ର ରଜ ପିଠାର ଆୟୋଜନ କରାଯାଇ ଥିଲା । କୁନି ପିଲାଙ୍କୁ ନେଇ ଗାଁ ରଜ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ।
ମହିଳାମାନେ କୁଆଁରୀ ଝିଅଙ୍କୁ କୁଙ୍କୁମ ଓ ଅଳତା ଲଗାଇ ବେଶ କରାଇଥିଲେ । ଓଡ଼ିଶା ପିଠା, ପାନର ମଜା ନେବା ସହିତ, କବାଡି, ପୁଚି ଖେଳ, ତାସ ଓ ଲୁଡୋ ଖେଳ ଖେଳିଥିଲେ । ଏଥିସହ ସଂସ୍କୁତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ ସମସ୍ତେ । କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ସପରିବାରେ ଯୋଗ ଦେଇ ସାଉଦି ଆରବରେ, ଗାଁ ରଜକୁ ଉପଭୋଗ କରିଥିଲେ । ସର୍ବଶେଷରେ ପ୍ରବାସୀ ମାନେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ।
ସେହିଭଳି ଅଷ୍ଟ୍ରେଲିଆରେ ମଧ୍ୟ ପ୍ରବାସୀ ଓଡ଼ିଆ ରଜ ସେଲିବ୍ରେସନ୍ କରିଛନ୍ତି । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପିଛି ପରିବେଶ । କୁନ କୁନି ପିଲା ଦ୍ବାରା ଆୟୋଜନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ସମସ୍ତେ । ଓଡ଼ିଶାରୁ ଏତେ ଦୂରରେ ରହି ଓଡ଼ିଆ ପରମ୍ପରାକୁ ଭୁଲି ନାହାଁନ୍ତି ଏମାନେ । ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ଧୁମଧାମରେ ପାଳିତ ହୋଇଛି ରଜ । ଭଳିକି ଭଳି ପିଠା ଓ ମିଠାର ଜମିଥିଲା ଆସର । ତିନି ଦିନ ଧରି ରଜ ପର୍ବ ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନକୁ ବେସ ଉତ୍ସାହର ସହ ପାଳନ କରିଛନ୍ତି ପ୍ରବାସୀ ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଶଣ ଥିଲା କୁନି କୁନି ପିଳାଙ୍କ ବିଭିନ୍ନ ଦେବାଦେବୀ ବେଶ । ବିଭିନ୍ନ ବେଶ ଧାରଣ କରି ମଞ୍ଚ ଉପରେ ଭେଟି ଦେଇଥିଲେ ଭଳିକ ଭଳି ନୃତ୍ୟ ।