Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Inspiration / ଇଶ୍ୱର ନିଶା ! ଅଣ୍ଟା ସିଧା ହେଉନି, ତଥାପି ମନ୍ଦିର ପାଇଁ ଗାଁ ଗାଁ ବୁଲୁଛନ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଇଶ୍ୱର ନିଶା ! ଅଣ୍ଟା ସିଧା ହେଉନି, ତଥାପି ମନ୍ଦିର ପାଇଁ ଗାଁ ଗାଁ ବୁଲୁଛନ୍ତି

Key Points

ଗାଁକୁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି ।
ସେହି ଟଙ୍କାରେ ତୋଳୁଛନ୍ତି ମନ୍ଦିର ।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଭଇଁଚୁଆ ପଞ୍ଚାୟତ ଧବଳାହାର ଗାଁର ପଦ୍ମାବତୀ ନାଥ। ବୟସ ୧୦୩ ଛୁଇଁଲାଣି। କିନ୍ତୁ ଶତାୟୁ ହୋଇ ବି ତାଙ୍କ ଭିତରେ ଅଜବ ନିଶା । ଆଉ ସେ ନିଶା ହେଉଛି ଈଶ୍ବର ଭକ୍ତି । ଆଉ ଈଶ୍ବର ଭକ୍ତିର ଶକ୍ତି ଏତେ ଯେ ସେ ଗାଁ ଗାଁ ବୁଲି ବୁଲି ଭିକ୍ଷା ମାଗୁଛନ୍ତି, ଆଉ ସେହି ଟଙ୍କାରେ ମନ୍ଦିର ତୋଲୁଛନ୍ତି । ପୁରା କାହାଣୀ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ...

ନଇଁ ଯାଇଛି ତାଙ୍କର ଅଣ୍ଟା, ଆଖିର ଦୃଷ୍ଟି ଶକ୍ତି ବି ଝାପସା। ବୟସ ୧୦୩ ଛୁଇଁଲାଣି। କିନ୍ତୁ ବେଶଭୂଷା, ଆଉ ଶରୀରର ସକ୍ରିୟତା ଦେଖିଲେ, ସେ ଜଣେ ସାଧାରଣ ମହିଳା ଭଳି ମନେ ହୁଅନ୍ତି ନାହିଁ । ଶତାୟୁ ହୋଇ ବି ସେ ଏମିତି କାମ କରୁଛନ୍ତି ଯାହା କରିବାକୁ ଆପଣ ଆଉ ଆମ ଭିତରୁ ଅନେକ ସାହସ ଜୁଟାଇ ପାରନ୍ତି ନାହିଁ। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଭଇଁଚୁଆ ପଞ୍ଚାୟତ ଧବଳାହାର ଗାଁର ପଦ୍ମାବତୀ ନାଥ । ତାଙ୍କର ନିଶା, ଈଶ୍ବରଙ୍କ ପ୍ରତି ଆସ୍ଥା ଆଗରେ ହାର ମାନିଛି ବୟସ, ପରାଜିତ ହୋଇଛି ବାର୍ଦ୍ଧକ୍ୟ। ଏ ବୟସରେ ସେ ଯାହା କରୁଛନ୍ତି ତାହା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ ।

ଗାଁକୁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ସେହି ଟଙ୍କାରେ ତୋଳୁଛନ୍ତି ମନ୍ଦିର । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍ଦିର ଗଢ଼ିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ପଦ୍ମାବତୀଙ୍କୁ ଯେତେବେଳେ ୯୦ ବର୍ଷ, ସେତେବେଳେ ଆରପାରିକୁ ଚାଲିଗଲେ ସ୍ଵାମୀ ଇନ୍ଦୁମଣୀ ନାଥ । ପରିବାର କହିଲେ ଗୋଟିଏ ପୁଅ ଓ ଦୁଇ ଝିଅ । ସମସ୍ତେ ଭଲରେ ଅଛନ୍ତି। କିନ୍ତୁ ଈଶ୍ବର ଭକ୍ତି ହେତୁ ସେ ପରିବାର ଛାଡ଼ି ଧବଳାହାର ଗାଁରେ ଏକ ମଠ କରି ରହୁଛନ୍ତି, ଠାକୁରଙ୍କ ସେବା କରୁଛନ୍ତି । ମଠର ଝାଟିମାଟି ଘର ଭାଙ୍ଗିରୁଜି ଯାଇଥିବାରୁ ସେ ଏବେ ଲକ୍ଷ୍ମୀନାରାୟଣ ମନ୍ଦିରରେ ଆଶ୍ରୟ ନେଇଛନ୍ତି ।

ଧବଳାହାର ଗାଁର ଏ ଲକ୍ଷ୍ମୀନାରାୟଣ ମନ୍ଦିର ଓ ମହାଦେବ ମନ୍ଦିର ନିର୍ମାଣରେ ବି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ତେବେ ଏହି ମନ୍ଦିରର ଅନେକ କାମ ଏବେ ବି ବାକି ଅଛି । କାରଣ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଛି । ତଥାପି ଭଙ୍ଗା ଘରେ ରହି ମନ୍ଦିର ସମ୍ପୂର୍ଣ୍ଣ କରିବାର ସ୍ବପ୍ନ ଦେଖୁଛନ୍ତି ପଦ୍ମାବତୀ । ଥିଲା ବାଲା ଲୋକଙ୍କୁ ମନ୍ଦିର କାମ ପାଇଁ ସାହାଯ୍ୟ ମାଗି ନିରାଶ ହୋଇଛନ୍ତି। ଏବେ ଈଶ୍ବରଙ୍କ ଉପରେ ଛାଡ଼ିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Inspiration | Even though the waist is not straight, She still wandering village to village | Argus News