ବିଭିନ୍ନ ମହଲରୁ ନବୀନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: 79 ବର୍ଷରେ ପାଦ ଥାପିଲେ ନବୀନ । ବିଭିନ୍ନ ମହଲରୁ ନବୀନଙ୍କୁ ଛୁଟୁଚି ଶୁଭେଚ୍ଛାର ସୁଅ । ବିଜେଡି ସଭାପତିଙ୍କ ଜନ୍ମ ଦିନରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରିଛି ବିଜେଡ଼ି । ଶଙ୍ଖ ଭବନରେ ମଧ୍ୟ ବରିଷ୍ଠ ନେତାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ନବୀନ ନିବାସରେ ମଧ୍ୟ କିଛି ନେତା ଯାଇ ଶୁଭେଚ୍ଛା ଜଣାଇବେ ।
ଆଜି ଶଙ୍ଖ ଭବନରେ ମହିଳା, ଯୁବ ଛାତ୍ରଙ୍କୁ ନେଇ ଭୁବନେଶ୍ୱର ବିଜେଡି ପକ୍ଷରୁ ରକ୍ତଦାନ ଶିବିର କରାଯାଇଛି । କେବଳ ଭୁବନେଶ୍ୱର ନୁହେଁ, ସ୍ଵେଚ୍ଛାକୃତ ଭାବେ ବିଭିନ୍ନ ଜିଲ୍ଲା ଓ ଅଂଚଳରେ ବି ଏହା କରାଯାଉଛି । ନବୀନ ପଟ୍ଟନାୟକ ଯାକଯମକରେ ଜନ୍ମଦିନ ପାଳନ କରନ୍ତି ନାହିଁ । ବର୍ତ୍ତମାନ ସମୟରେ ଯେଉଁ ରକ୍ତର ଆବଶ୍ୟକତା ରହିଛି, ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ କରିବାକୁ । ତେଣୁ ତାଙ୍କ ଜନ୍ମଦିନରେ ରକ୍ତଦାନ କରାଯାଉଛି ବୋଲି କହିଛନ୍ତି ଦଳର କର୍ମକର୍ତ୍ତା ।
୧୯୪୬ ମସିହା ଆଜିର ଦିନରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତିଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ । ୫୦ ବର୍ଷ ବୟସରେ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ୨୪ ବର୍ଷର ମୁଖ୍ୟମନ୍ତ୍ରୀ ପରେ ଏବେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଉଛନ୍ତି ନବୀନ ।
