୩ ଦିନର ତଲାସୀ ପରେ ମିଳିଲା ସୁନ୍ଦରଗଡ଼ରୁ ଲୁଟ୍ ବିସ୍ଫୋରକ

Key Points
ତିନି ଦିନର ତଲାସୀ ପରେ ମିଳିଲା ସୁନ୍ଦରଗଡ଼ରୁ ଲୁଟ୍ ବିସ୍ଫୋରକ । କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍ ହୋଇଥିଲା । ଗତକାଲି ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଥିଲା ।
ତିନି ଦିନର ତଲାସୀ ପରେ ମିଳିଲା ସୁନ୍ଦରଗଡ଼ରୁ ଲୁଟ୍ ବିସ୍ଫୋରକ । କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍ ହୋଇଥିଲା । ଗତକାଲି ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଥିଲା । ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଯବାନମାନେ ଲୁଟ୍ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ । ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଆଇଇଡି ବିସ୍ଫୋରଣରେ ସିଆର୍ପିଏଫ୍ କୋବ୍ରା ୨୦୯ ବାଟାଲିୟନ୍ର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ ।
ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ଓ ପରେ ରାଉରକେଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମଧ୍ୟ କରିଥିବା ସୂଚନା ମିଳିଛି । ଯେଉଁ ସ୍ଥାନରେ ବିସ୍ଫୋରକ ସବୁ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍’ କରି ରହିଥିଲେ । ସର୍ଚ ଅପରେସନ୍ ସମୟରେ ମାଓ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ୟୁନିଫର୍ମ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଏ ଅପରେସନରେ ଝାଡ଼ଖଣ୍ଡ ଚାଇବସା ପୋଲିସ ସହିତ ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍ପିଏଫ୍ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି ।