ଚାଉଳ ଚୋର ଧରିବାକୁ ମାଷ୍ଟର ପ୍ଲାନ ତୟାରୀ

Key Points
- ଆଉ ହେବନି ଚାଉଳ ଚୋରି
- ଚାଉଳ ଚୋରିରେ ଲାଗିବ ବ୍ରେକ୍
ଅର୍ଗସ ବ୍ୟୁରୋ : ଗରିବଙ୍କୁ ଚାଉଳ ଦେଉଛନ୍ତି ସରକାର, ହେଲେ ଚାଉଳ ଖାଇ ମାଲେମାଲ ଅସାଧୁ ଠିକାଦର ଓ ଡିଲର । କିନ୍ତୁ ଆଉ ଏବେ ସେମିତି ହେବନି । କାରଣ ଏବେ ରାସନ କାର୍ଡ ସ୍କାମ୍ ଓ ଚାଉଳ ବାଟମାରଣାକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହେଲେ ଏହା ପୂର୍ବରୁ ସାମ୍ନାକୁ ଆସିଛି କେଉଁ ଉପାୟରେ ଚାଉଳ ଚୋରି ହେଉଥିଲା । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।
ଆଖି ତରାଟି ଦେବା ପରି ତଥ୍ୟ ମିଳିବା ପରେ ଚାଉଳ ଚୋରିର ଖୋଲିଲା ଗୁମର । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ, ପ୍ରତି ମାସରେ ଓଡ଼ିଶାକୁ ମିଳେ ୧୩,୧୫,୨୧୦ କୁଇଣ୍ଟାଲ ଚାଉଳ ଅର୍ଥାତ୍ ଏଫସିଆଇ ଗୋଦାମରୁ ରାଜ୍ୟ ପଣ୍ୟାଗାରକୁ ଆସେ ୨୬,୩୦,୪୨୦ ବସ୍ତା ଚାଉଳ । ଆଉ ଗରିବ ଲୋକଙ୍କୁ ମାଗଣାରେ ଦିଆଯାଉଥିବା ଚାଉଳକୁ ଚଳୁ କରିବାକୁ ଏହିଠାରୁ ହିଁ ଛକି ବସିଥାନ୍ତି ଅସାଧୁ ମେଣ୍ଟ । କୁହାଯାଉଛି କି, ଚାଉଳ ଚୋରି ପାଇଁ ଠିକାଦାର-ଡିଲର-ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଆସିଛି । ମିଳିମିଶି ଚାଉଳ ଚୋରି ଖାଉଛନ୍ତି ହେଲେ ଲୋକ ପାଉନାହାନ୍ତି ।
କେମିତି ହେଉଛି ଚାଉଳ ଚୋରି ?
ମାସକୁ ଆସେ ୨୬,୩୦,୪୨୦ ବସ୍ତା ଚାଉଳ
ପ୍ରତି ପ୍ୟାକେଟରୁ ପ୍ରାୟ ୪ କେଜି ଚୋରି
ସରକାରୀ ଦାମରେ କେଜି ପିଛା ୩୦ ଟଙ୍କା ହେଲେ ୩୧ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ
ବର୍ଷକୁ ୩୭୮ କୋଟି ୭୨ ଲକ୍ଷ ଟଙ୍କା ଚଳୁ
ତେବେ ରାଜ୍ୟରେ ଗରିବଙ୍କ ଚାଉଳ ଚୋରି କଥାକୁ ସ୍ଵୀକାର କରିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ସ୍ଵୀକାର କରିଛନ୍ତି ତାହା ନୁହେଁ ବରଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ପ୍ରାୟ ୫୦୦ ଠିକାଦାର ଓ ୭୯୬୩ ଡିଲର ରହିଛନ୍ତି । ବିତରଣ ପ୍ରକ୍ରିୟାରେ ୮ ହଜାରରୁ ଅଧିକ ସାମିଲ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେଉଁମାନେ ଚାଉଳ ଚୋରିରେ ସଂପୃକ୍ତ ଅଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାକୁ ଏବେ ଅପେକ୍ଷା ।