Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Fertilizer: ସାମ୍ନାକୁ ଆସିଲା ଭେଜାଲ ସାର ଯୋଗାଣର ବଡ଼ ପ୍ରମାଣ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Fake Fertilizer: ସାମ୍ନାକୁ ଆସିଲା ଭେଜାଲ ସାର ଯୋଗାଣର ବଡ଼ ପ୍ରମାଣ

Key Points

ସାର ଯୋଗାଣ ବାଧାପ୍ରାପ୍ତ, ହନ୍ତସନ୍ତ ଚାଷୀ
କଳାବଜାରୀ ଅଭିଯୋଗ ଆଣି ସରକାରଙ୍କୁ ଘେରିଲେ ବିରୋଧୀ
ବିଜେଡି ସମୟରୁ ଥିବା ଅସାଧୁ ସାର ଡିଲରଙ୍କ ଉପରେ ବିଜେପି ସରକାର ନେଲେ ଆକ୍ସନ

ସାର ଅଭାବରୁ ଆଗେଇ ପାରୁନି ଚାଷ କାମ । ପୁଣି କେଉଁଠି କଳାବଜାରୀ ଯୋଗୁଁ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଆଉ ପୁଣି କେଉଁଠି ଚାଷୀଙ୍କୁ ଦିଆଯାଉଛି ନକଲି ବା ଭେଜାଲ ସାର । ସାରା ରାଜ୍ୟରୁ ଆସୁଛି ଏଭଳି ମାଳମାଳ ଅଭିଯୋଗ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ସାର ଅଭାବ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କିନ୍ତୁ ସାର ବେପାରୀ କଳାବଜାରୀ କରିବାରେ ମାତିଛନ୍ତି । ଅଭିଯୋଗ ପରେ କୁଚିଣ୍ଡା ତହସିଲଦାରଙ୍କ ନେତୃତ୍ଵରେ କୁଚିଣ୍ଡା ଆଇସିଏସ୍‌ ଗୋଛରାଗ୍ରାମ ପଞ୍ଚାୟତ ଉଲୁଣ୍ଡା ଗାଁର ଏକ ସାର ଗୋଦାମରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ଗଚ୍ଛିତ ଥିବା ୟୁରିଆ, ଡିଏପି, ପଟାସ ସାର ଜବତ କରି ଗୋଦାମ ସିଲ୍ କରାଯାଇଛି।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀଙ୍କୁ ମିଳିଛି ଧୋକା । ନକଲି ସାର କିଣି ଚିନ୍ତାରେ ଚାଷୀ । ଉଲୁଣ୍ଡା ବ୍ଲକ ମାଟୁପାଲି ଗାଁର ଚାଷୀ ବିଶ୍ୱନାଥ କର୍ମୀ । ଦଲାଲ୍ ହାବୁଡ଼ରେ ପଡ଼ି ଜଣେ ଅଣ ଓଡ଼ିଆ ବେପାରୀଙ୍କ ଠାରୁ ୧୫ ପ୍ୟାକେଟ ଗ୍ରୋମର ଓ ଗୋଟିଏ ପ୍ୟାକେଟ୍ ପଟାସ କିଣିଥିଲେ । ବିଲରେ ପକାଇବା ପରେ ସାର ନ ତରଳିବାରୁ ସନ୍ଦେହ ହେଲା। ପଚରା ଉଚରା କରିବାରୁ ସାର ଗୋଦାମ ବନ୍ଦ କରି ବେପାରୀ ଫେରାର ହୋଇଗଲେ।

ସେପଟେ ଜଟଣୀରେ ନାନୋ ୟୁରିଆ ଓ ନାନୋ ଡିଏପି ଯୋଗାଣରେ ହୋଇଛି ବଡ଼ ଅନିୟମିତତା । ଯାହାକି ଅର୍ଗସ୍ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ରିପୋର୍ଟ। ୨୦୨୫ ଏପ୍ରିଲ ୧୦ରେ ଜଟଣୀ ବ୍ଲକ ଅଧିକାରୀ ଲେଖିଥିବା ଚିଠିରେ ଜଟଣୀ ଅଞ୍ଚଳରେ ଚାଷୀଙ୍କୁ ଦିଆଯାଉଥିବାର ସାର ନିମ୍ନ ମାନର ବୋଲି ଲେଖାଯାଇଛି । ତାହା ପୁଣି ଉତ୍ତରପ୍ରଦେଶ ଗଜିଆବାଦରେ ଥିବା କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଟେଷ୍ଟ ହାଉସ ଦେଇଛି ରିପୋର୍ଟ । କିନ୍ତୁ ରିପୋର୍ଟ ଆସିବା ଆଗରୁ ଜଟଣୀ MARKFED ଗୋଦାମରୁ ଖାଲି ହୋଇଯାଇଛି ଭେଜାଲ ସାର । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସାର ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଟଣୀ ବ୍ଲକ କୃଷି ଅଧିକାରୀ । ଆଉ ଏନେଇ ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରିଛନ୍ତି ବ୍ଲକ କୃଷି ଅଧିକାରୀ ।

ଅନ୍ୟପଟେ ସାର ଯୋଗାଣକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଜୋର ଧରିଛି ଆରୋପ ପ୍ରତ୍ୟାରୋପ। ସାର କଳାବଜାରୀ କିମ୍ବା ନକଲି ସାର ବିକ୍ରି ଉପରେ ରୋକ ଲଗାଇବାକୁ ରାଜ୍ୟ ସାରା ଜାରି ରହିଛି ଚଢ଼ାଉ । ୧୨୦୨ ଖୁଚୁରା ସାର ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି, ୩୦ଟି ଦୋକାନରେ ସାର ବିକ୍ରି ବନ୍ଦ କରିବା ସହ ୬୨ଟି ଡିଲର ଲାଇସେନ୍ସ ବାତିଲ କରିଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Fertilizer: Big evidence of fake fertilizer supply comes to light | Argus News