ରାଜ୍ୟରେ ଦୂର ହେବ ଚାଷୀଙ୍କ ଦୁଃଖ, ବ୍ୟାରେଜ ପାଇଁ ଖର୍ଚ୍ଚ ହେବ ୧୩ ହଜାର ୬୦୦ କୋଟି

ରାଜ୍ୟରେ ୩୧ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, ୨୭ଟି ବ୍ୟାରେଜ୍ ପ୍ରକଳ୍ପ, ୭୨ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଏବଂ ୭୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ତେବେ ୩୧ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୫୨ ହଜାର ୨୯୦ କୋଟି, ୨୭ ବ୍ୟାରେଜ ପାଇଁ ୧୩ ହଜାର ୬୦୦ କୋଟି, ୭୨ ଇନଷ୍ଟ୍ରିମ ଷ୍ଟୋରେଜ ପାଇଁ ୧୭ ହାଜର ୧୫୮ କୋଟି, ୭୯ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୧୯୨ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି ।
ଏହି ସବୁ ନୂତନ ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ରୀୟ ଏବଂ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ । ରାଜ୍ୟରେ ୧୫ଟି ବୃହତ ଏବଂ ୫୬ଟି ମଧ୍ୟମ, ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସେଚ ସମର୍ଥ ହୋଇଛି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
