କଟକରେ ଚାଞ୍ଚଲ୍ୟ: ଫ୍ଲାଟ୍ ଖାଲି କରିବା ଦିନ ମିଳିଲା ବାପଝିଅଙ୍କ ମୃତଦେହ

କଟକ: ସିଲଭର ସିଟିରେ ଚାଞ୍ଚଲ୍ୟ । ଆପାର୍ଟମେଣ୍ଟର ଏକ ଫ୍ଲାଟ୍ରୁ ମିଳିଲା ୨ ଜଣଙ୍କ ମୃତଦେହ । ବାଦାମବାଡ଼ି ଥାନା ଅଞ୍ଚଳର ସ୍ନେହଲତା ଆପାର୍ଟମେଣ୍ଟର ଏକ ଫ୍ଲାଟ୍ରେ ବାପଝିଅଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଘର ଭିତରେ ପଡ଼ିଥିବା ଖଟରୁ ନାବାଳିକା ଝିଅର ମୃତଦେହ ମିଳିଥିବା ବେଳେ ଅନ୍ୟ ଏକ କୋଠରିରୁ ବାପା ମାନସଙ୍କ ଝୁଲନ୍ତା ମୃତଦେହ ମିଳିଛି ।
ସୂଚନା ଅନୁସାରେ, ବିକାଶ ଭବନ ନିକଟ ସ୍ନେହଲତା ଆପାର୍ଟମେଣ୍ଟରେ ଝିଅ ସହ ରହୁଥିଲେ ମାନସ ରଞ୍ଜନ ଦାସ । ପ୍ରାୟ ୨ ବର୍ଷ ହେବ ଆପାର୍ଟମେଣ୍ଟରେ ଫ୍ଲାଟ୍ ଭଡ଼ାରେ ମାନସ ଝିଅ ସହ ରହୁଥିଲେ । ଆଉ ଶୁକ୍ରବାର ମାନସ ଫ୍ଲାଟ୍ ଖାଲି କରି ଥାଆନ୍ତେ । ଏଥିପାଇଁ ସକାଳୁ ଫ୍ଲାଟ୍ ୱନର ଆସି କବାଟ ବାଡ଼େଇ ଥିଲେ ମଧ୍ୟ କେହି ଖୋଲି ନଥିଲେ ।
📱 Get Argus News App
✨ଫଳରେ ପୋଲିସକୁ ଖବର ଦେଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଆଉ ପୋଲିସ ଆସିବା ପରେ ଯାହା ଦେଖିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଲା । କିଛି କ୍ଷଣ ପାଇଁ ଅବାକ୍ ହୋଇଗଲେ ସମସ୍ତେ । ଏକ ରୁମର ଖଟ ଉପରେ ନାବାଳିକା ଝିଅର ମରଶରୀର ପଡ଼ିଥିବା ବେଳେ ଅନ୍ୟ ରୁମରେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ ମାନସ । ପୋଲିସ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି ।
ଖବର ଅନୁସାରେ, ମାନସଙ୍କ ନାବାଳିକା ଝିଅ ମାନସିକ ବିକୃତ ଥିଲେ । ବ୍ୟବସାୟ କରୁଥିବା ମାନସ ଅନେକ ଦିନ ହେଲା କ୍ଷତି ସହୁଥିବାରୁ ଚାପରେ ଥିଲେ । ତେବେ କେଉଁ ପରିସ୍ଥିତିରେ ଆଉ କାହିଁକି ମାନସ ଫ୍ଲାଟ୍ ଛାଡ଼ିବା ଦିନ ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଆର୍ଥିକ କ୍ଷତି ଓ ମାନସିକ ଚାପ ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି ।