୨ ନାବାଳକ ପୁଅକୁ ହତ୍ୟା ପାଇଁ ସପ୍ତାହେ ତଳୁ ଯୋଜନା କରିଥିଲେ ବାପା, ସାଥ୍ ଦେଇଥିଲା ଜେଜେ ମାଆ

ଖଣ୍ଡପଡ଼ା: ଦୁଇ ବର୍ଷ ତଳେ ସ୍ତ୍ରୀ ମରିଥିଲା, ଏବେ ମାଆ ସହ ମିଶି ୨ ନାବାଳକ ପୁଅଙ୍କୁ ମାରିଦେଲା । ଦ୍ଵିତୀୟ ବିବାହ କରିବାକୁ ଯାଇ ୨ ନାବାଳକ ପୁଅଙ୍କୁ ତଣ୍ଟି ଚିପି ମାରି ଦେଇଛି ଜହ୍ଲାଦ ବାପା । ଆଉ ୨ ଛୁଆଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ବି ଦେଇଛନ୍ତି । ଏତେ ବଡ଼ କାଣ୍ଡରେ ୨ ପିଲାର ବାପାକୁ ସହଯୋଗ କରିଛି ଜେଜେ ମାଆ ।
ଏଭଳି ଅମାନୁଷିକ, ଅଭାବନୀୟ ଓ ଅକଳ୍ପନୀୟ ଡବଲ୍ ମର୍ଡର ହୋଇଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ । ଗତ ୧୦ ତାରିଖ ସକାଳୁ ଧାନଚାଙ୍ଗଡ଼ା ଗାଁରୁ ମିଳିଥିଲା ୨ ଭାଇଙ୍କ ମୃତଦେହ । ୧୪ ବର୍ଷର ଆକାଶ ଓ ୯ ବର୍ଷର ବିକାଶର ଝୁଲନ୍ତା ମୃତଦେହ ମିଳିବା ପରେ ସନ୍ଦେହ ବଢ଼ିଥିଲା । ଆଉ ପୋଲିସ ତଦନ୍ତ ପରେ ହତ୍ୟା ଉପରୁ ପରଦା ହଟିଛି ।
ଫତେଗଡ଼ ପୋଲିସ ୨ ଭାଇଙ୍କୁ ହତ୍ୟା ମାମଲାରେ ବାପା ପ୍ରକାଶ ମହାନ୍ତି ଓ ଜେଜେ ମାଆ ସୌରୀ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୟାଗଡ଼ ଏସ୍ପି ଏସ୍. ସୁଶୀଙ୍କ ସୂଚନା ଅନୁସାରେ, ୧୬ ବର୍ଷ ତଳେ ପ୍ରକାଶ, କୁମା ନାୟକଙ୍କୁ ବିବାହ କରିଥିଲେ । ୨ ବର୍ଷ ତଳେ କୁମାଙ୍କ ମୃତ୍ୟୁ ପରେ ଦ୍ଵିତୀୟ ବିବାହ ପାଇଁ ଯୋଜନା ଚଳାଇଥିଲେ ପ୍ରକାଶ । ଆଉ ଦ୍ଵିତୀୟ ବିବାହ କରିବାକୁ ଯାଇ କୁମାଙ୍କ ୨ ପୁଅକୁ ରାସ୍ତାରୁ ହଟାଇ ଦେଇଛନ୍ତି ।
📱 Get Argus News App
✨ମାର୍ଚ୍ଚ ୯ ରବିବାର ଦ୍ଵିତୀୟ ବିବାହ ଲାଗି ଭୁବନେଶ୍ଵରରୁ ଏକ ପରିବାର ଗାଁକୁ ଆସିଥିଲେ । ଆକାଶ ଓ ବିକାଶଙ୍କୁ ହତ୍ୟା ପାଇଁ ୭ ଦିନ ତଳୁ ଯୋଜନା କରି ବାରମ୍ବାର ବିଫଳ ହୋଇଥିଲେ ପ୍ରକାଶ ଓ ସୌରୀ । ଶେଷରେ ରବିବାର ବିଳମ୍ବିତ ରାତିରେ ସାନ ପୁଅ ବିକାଶକୁ ପାଇଖାନା ଘରେ ଶୁଆଇ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲା ପ୍ରକାଶ । ଆକାଶ ପାଟି କରିବାରୁ ଜେଜେ ମାଆ ସୌରୀ, ଆକାଶ ପାଟିରେ ଲୁଗା ଦେଇ ସ୍ଵର ଚାପିଥିଲା ।
ଏହା ପରେ ସାନ ପୁଅ ବିକାଶର ତଣ୍ଟି ଚିପି ହତ୍ୟା ପରେ ୨ ଭାଇଙ୍କୁ ରଶିରେ ଝୁଲାଇ ଆତ୍ମହତ୍ୟା ନାଟକ ରଚିଥିଲା ପ୍ରକାଶ । ଆଉ ମାମୁ ଘର ଲୋକଙ୍କ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ଛାନ୍ଭିନ୍ । ଶେଷରେ ୨ ନାବାଳକ ଭାଇଙ୍କ ମୃତ୍ୟୁ ଉପରୁ ପରଦା ହଟିଛି । ପୁଅର ଦ୍ଵିତୀୟ ବାହାଘର ପାଇଁ ଜେଜେ ମାଆ ବି ଅତି ଜଘନ୍ୟ ଭାବେ ୨ ନାତିଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।
ଏଠି ବାପାର ସ୍ନେହ ଲିଭି ଯାଇଥିବା ବେଳେ ମରି ଯାଇଛି ଜେଜେ ମାଆର ମମତା । ୨ ପୁଅକୁ ହତ୍ୟା ସହ ବାପା ଓ ଜେଜେ ମାଆ ମିଶି ପୋଛି ଦେଇଛନ୍ତି ନିଜ କୂଳ ଆଉ କୋଳ । କାରଣ ଏବେ ଉଭୟ ଜେଲ୍ର ଚାରି କାନ୍ଥ ଭିତରେ ବନ୍ଦୀ ।