ବାପାଙ୍କୁ କ୍ୟାନ୍ସର, ଘରର ରୋଜଗାର କହିଲେ କେବଳ ସରକାରୀ ଭତ୍ତା !

Key Points
ପରିବାର କହିଲେ ମା, ବାପା ଓ ଭାଇ।
ଯେଉଁ କିଛି ସରକାରୀ ଭତ୍ତା ପାଉଛନ୍ତି, ସେତିକିରେ ପୂରା ପରିବାର ଚଳୁଛି ।
ଆଗକୁ ଚାହିଁଲେ ହାତ ଠାରି ଡାକୁଛି ସୁନେଲି ସ୍ବପ୍ନ । ଆଉ ପଛକୁ ଚାହିଁଲେ ହତାଶାରେ ଭାଙ୍ଗି ଯାଉଛି ମନ । ଚଳିତ ବର୍ଷ ଯୁକ୍ତ ଦୁଇରେ ବ୍ଲକ ସ୍ତରରେ ସର୍ବାଧିକ ୫୪୬ ନମ୍ବର ରଖି ପାସ କରିଛନ୍ତି ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକ କଣ୍ଟୀକୋଳି ଅଡୁଆ ସାହିର ମେଧାବୀ ଛାତ୍ରୀ ବର୍ଷା ମହାନ୍ତି ।
ପରିବାର କହିଲେ ମା, ବାପା ଓ ଭାଇ। ବାପା କର୍କଟ ରୋଗରେ ପୀଡ଼ିତ ହେବା ପରେ ରୋଜଗାର ହରାଇ ମେଡିକାଲର ଚକ୍କର କାଟୁଛନ୍ତି । ଯେଉଁ କିଛି ସରକାରୀ ଭତ୍ତା ପାଉଛନ୍ତି, ସେତିକିରେ ପୂରା ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ଯୁକ୍ତ ଦୁଇରେ ବ୍ଲକ ଟପ୍ପର ହେବା ପରେ ଉଚ୍ଚଶିକ୍ଷା ପାଇଁ ବର୍ଷାଙ୍କ ପ୍ରବଳ ଆଗ୍ରହ ରହିଛି, ହେଲେ ଦି ଓଳି ଦୁଇ ମୁଠା ଯେଉଁଠି ଖାଇବା ଅସମ୍ଭବ ହୋଇପଡୁଛି, ସେଠି ଉଚ୍ଚଶିକ୍ଷା କଥା ପଚାରେ କିଏ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ନିବେଦନ କରି ଚିଠି ଲେଖିବା ପରେ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥିଲା ବର୍ଷାଙ୍କ ବାପାଙ୍କୁ । ମାତ୍ର ବର୍ଷାଙ୍କ ପାଠପଢ଼ା ପାଇଁ ନାହିଁ କୌଣସି ସୁବିଧା । ବର୍ଷାଙ୍କ ବଡ଼ବାପା ଭଗବାନ ମାଝୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାବେଳେ ପାଠପଢ଼ାରେ କିଛି ଟଙ୍କା ସାହାଯ୍ୟ କରିଥିଲେ । ସ୍କୁଲ ଶିକ୍ଷକମାନେ ମଧ୍ୟ ପାଠପଢ଼ାରେ ବର୍ଷାଙ୍କ ଆଗ୍ରହ ଦେଖି ଅନେକ ସମୟରେ ସହଯୋଗ କରିଆସିଛନ୍ତି ।
ଯୁକ୍ତ ଦୁଇରେ ସବୁ ସଫଳତାର ଶ୍ରେୟ ବର୍ଷା ନିଜ ବାପା, ମା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ପରିବାର ବର୍ଗଙ୍କୁ ଦେଇଥିବାବେଳେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ସାହାଯ୍ୟ କରନ୍ତୁ ବୋଲି ପରିବାର ଲୋକ ସରକାରଙ୍କୁ ନିବେଦନ କରିଛନ୍ତି ।