ଲୋକସଭାରେ ସଂଖ୍ୟା ନାହିଁ, ରାଜ୍ୟ ସଭାରେ ଲଢେଇ କରିବ ବିଜେଡି

Key Points
- ଲୋକସଭାରେ ସଂଖ୍ୟା ନାହିଁ, ରାଜ୍ୟ ସଭାରେ ଲଢେଇ କରିବ ବିଜେଡି
- ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର
- ଗତକାଲିର ବୈଠକ ପରେ ଜୋରଧରିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ: ଏଥର ନିର୍ବାଚନରେ ଲୋକସଭାରେ ଖାତା ଖୋଲିପାରିଲାନି ବିଜେଡି । ୨୪ ବର୍ଷର ସ୍ଥାୟୀ ସରକାର କରିବା ପରେ ବି ଲୋକସଭାରେ ଗୋଟିଏ ବି ଜିତିପାରିଲାନି । ଲୋକସଭାରେ ଶୂନକୁ ରାଜ୍ୟ ବିଧାନସଭାରେ ମାତ୍ର ୫୧ରେ ସୀମିତ ରହିଲା ଦଳ । ଷଷ୍ଠଥର କ୍ଷମତାରେ ବସିବାକୁ ବିଜେଡି ଯେଉଁ ସ୍ଵପ୍ନ ଦେଖୁଥିଲା ତାହା ଭାଙ୍ଗି ଚୁରମାର ହୋଇଗଲା । ସେଇଥି ଲାଗି ତ ଏବେ ବିଜେଡି ପୂର୍ବରୁ କେନ୍ଦ୍ରରେ ସମଦୂରତା କଥା କହୁଥିବା ବେଳେ ଏବେ ଆକ୍ରମଣାତ୍ମକ ହେବ ବୋଲି ନିଷ୍ପତ୍ତି ନେଇଛି । ଫ୍ଲୋର୍ ନୁହେଁ ଏଥର ୱେଲ୍ ଅର୍ଥାତ ଗୃହ ମଧ୍ୟଭାଗରେ ଲଢେଇ ହେବ ବୋଲି କୁହାଯାଉଛି । ଲୋକଙ୍କ ଦାବିକୁ ଦିଲ୍ଲୀ ଦରବାରରେ ଉଠାଇବା ସହ ସରକାରକୁ ଘେରିବାକୁ ବଡ଼ ପ୍ରସ୍ତୁତି କରୁଛି ବୋଲି ସୂଚନା ମିଳିଛି ।
୨୦୨୪ ନିର୍ବାଚନ ପରେ ପ୍ରଥମ ଅଧିବେଶନ ବସୁଥିବାରୁ ଦଳର ଆଭିମୁଖ୍ୟ ବେଶଗୁରୁତ୍ୱ ବହନ କରୁଛି । ଯେଉଁଥିପାଇଁ ଦଳ ଏଥର ପ୍ରଥମରୁ ହିଁ ଆଟାକିଂ ଆଭିମୁଖ୍ୟ ରଖୁଥିବା ନେଇ ବାର୍ତ୍ତା ଦେଇଛି । ବିଜେଡିର ୯ ସାଂସଦଙ୍କୁ ଏନେଇ ତୟାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଥା ହେଲା, ୨୪ ବର୍ଷ ଭିତରେ ଲୋକସଭାରେ ଏମିତି ଦୟନୀୟ ସ୍ଥିତି ବିଜେଡିର କେବେ ହୋଇନଥିଲା । କିନ୍ତୁ ଏଥର ସ୍ଥିତି ପୁରା ବଦଳିଯାଇଛି । ୨୦୧୯ରେ ଦଳ ୧୨ ଟି ଆସନ ଲୋକସଭାରେ ପାଇଥିବାବେଳେ ଏଥର କିନ୍ତୁ ରାଜ୍ୟର ୨୧ ଲୋକସଭା ସିଟ୍ରୁ କୌଣିସି ଗୋଟିଏ ସିଟ୍ରେ ବି ବିଜୟୀ ହୋଇନି । ୨୦ଟି ସିଟ୍ରେ ବିଜେପି ଓ ଗୋଟିଏ ସିଟ୍ କଂଗ୍ରେସକୁ ଯାଇଛି । ଏଭଳିସ୍ଥଳେ ରାଜ୍ୟସଭାରେ ଥିବା ୯ ବିଜେଡି ସାଂସଦ ହିଁ ଦଳ ପାଇଁ ଦିଲ୍ଲୀରେ ଭରସା । ତେଣୁ ମୁକାବିଲା ନେଇ ପ୍ରାକ୍ ବୈଠକ କରିଛି ଦଳ ।
ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି, ଭୁମିଜ ଭାଷାକୁ ସାମିଲ, ସବୁ ଜିଲ୍ଲାକୁ ରେଲୱେ ସଂଯୋଗୀକରଣ, କୋଲ ରୟାଲଟି ବୃଦ୍ଧି, ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣଭଳି ପୁରୁଣା ମୁଦ୍ଦାକୁ ନେଇ ଦଳ ସଂସଦରେ ସ୍ୱର ଉଠାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଦଳର ନେତାମାନେ ନବୀନଙ୍କ ନିର୍ଦ୍ଦେଶକୁ କେତେଦୂର ଅନୁପାଳନ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । ଆସନ୍ତା ୨୭ରୁ ସଂସଦର ଅଧିବେସନ ଆରମ୍ଭ ହେବାକୁ ଯାଉଛି। ବିଜେଡିର ସ୍ୱର କେତେ ଶାଣିତ ହେଉଛି ଏବଂ କେତେ ଗ୍ରହଣୀୟ ହେଉଛି ରାଜ୍ୟ ବାସୀଙ୍କ ନିକଟରେ ତାଉପରେ ନଜର ।
ସେପଟେ, ୧୦ ବର୍ଷ ପରେ ଲୋକସଭା ପାଇବ ବିରୋଧୀ ଦଳର ନେତା । ହେଲେ ସେହି ଆସନରେ କିଏ ବସିବ ତାହାକୁ ନେଇ ଆଲୋଚନା ଜୋରଦାର ଚାଲିଛି । ଚର୍ଚ୍ଚା ହେଉଛି କି, ରାହୁଲ ଗାନ୍ଧୀ ଏହି ଆସନରେ ବସିବେ । କିନ୍ତୁ ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇନି । ହେଲେ ବି ରାହୁଲ ହିଁ ବିରୋଧୀ ଦଳର ନେତା ହେବେ ବୋଲି ଚର୍ଚ୍ଚା ହେଉଛି । ୧୮ ତମ ଲୋକସଭାର ଉଦଘାଟନୀ ଅଧିବେଶନରେ ବିରୋଧୀ ଦଳର ନେତା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ହେବା ସହ ବିରୋଧୀ ଦଳର ନେତା ବି ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । କୁହାଯାଉଛି କି, ରାହୁଲ ଗାନ୍ଧୀ ଏହି ପଦବୀ ପାଇଁ ନିଜର ନିଷ୍ପତ୍ତି ନେବେ । ଆସନ୍ତା ସପ୍ତାହରେ ଦଳ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
