ଗୁଣ୍ଡିଚା କିଏ ଏବଂ କ'ଣ ରହିଛି ମହାପ୍ରଭୁଙ୍କ ସହ ସମ୍ପର୍କ ଜାଣନ୍ତୁ...

Key Points
ଗୁଣ୍ଡିଚା କିଏ ଏବଂ କ'ଣ ରହିଛି ମହାପ୍ରଭୁଙ୍କ ସମ୍ପର୍କ
ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ
କିଏ ଜଗନ୍ନାଥଙ୍କ ମାଉସୀ ମା ଜାଣନ୍ତୁ
ମହାପ୍ରଭୁ ଏବେ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି । ଏହି ମନ୍ଦିର ଇତିହାସ ବେସ୍ ପୁରୁଣା । ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଆଡପ ମଣ୍ଡପରେ ବିରାଜମାନ କରିଥାନ୍ତି ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।
ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ,ଆଟୋପ ମଣ୍ଡପ ଇତ୍ୟାଦି ନାମରେ ଉଲ୍ଲେଖ କରାଯାଇଛି । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ଡପଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ(୨ୟ) (ଖ୍ରୀ.୧୨୭୮-୧୩୦୬)ଙ୍କ ରାଜତ୍ୱ ସମୟରେ ପଥର ମଣ୍ଡପ ନିର୍ମାଣ କରାଯାଇଥିଲା। ଗୁଣ୍ଡିଚା ଘର ଗର୍ଭ ଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହି ମଣ୍ଡପର ଉଚ୍ଚତା ୪ଫୁଟ୍ ଏବଂ ଲମ୍ବ ୧୯ଫୁଟ୍ ବିଶିଷ୍ଟ ।
ଶରଧାବାଲିରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ବର୍ତ୍ତମାନ ମଧ୍ୟ ଦାରୁଦିଅଁ ଶ୍ରୀପତିତପାବନ ଯାତ୍ରାରେ ବିଜେ କରି ସେହି ଆଡ଼ପ ମଣ୍ଡପକୁ ଯାଆନ୍ତି । କିଛି ଲୋକଙ୍କ ମନରେ ଧାରଣା ଥାଏକି ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ବୋଲି । ବାସ୍ତବରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ ।
ଗୁଣ୍ଡିଚା କିଏ ଏବଂ କ'ଣ ରହିଛି ମହାପ୍ରଭୁଙ୍କ ସମ୍ପର୍କ
କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ନାଁ ଥିଲା ଗୁଣ୍ଡିଚା । ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ନାମକରଣ କରାଯାଇଛି । ମହାପ୍ରଭୁ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କୁ ବର ପ୍ରଦାନ ପାଇଁ କହିଥିଲେ, ରାଣୀ ତାଙ୍କୁ ପ୍ରତିବର୍ଷ ଏହି ସ୍ଥାନକୁ ଆସିବା ପାଇଁ କହିଥିଲେ । ମହାପ୍ରଭୁ ମଧ୍ୟ ତାଙ୍କୁ ଏହି ବଚନ ଦେଇଥିଲେ । ନିଜର ବଚନକୁ ରକ୍ଷା କରି ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି ।
ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଏକ ସହସ୍ର ଥର ଦର୍ଶନ କରିବା ଯାହା ଆଡ଼ପ ମଣ୍ଡପରେ ଥରେ ଦର୍ଶନ କରିବା ସହ ସମାନ । ଏଣୁ ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ ।
ବାହୁଡ଼ା ଦଶମୀରେ ମହାପ୍ରଭୁ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଶ୍ରୀଜିଉମାନଙ୍କ ଜନ୍ମବେଦୀ ବୋଲି କୁହାଯାଇଥାଏ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବା ସମୟରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।
କିଏ ଜଗନ୍ନାଥଙ୍କ ମାଉସୀ ମା
ବଡଦାଣ୍ଡର ବଳଗଣ୍ଡି ଛକରେ ରହିଛି ମାଉସୀ ମା' ମନ୍ଦିର । ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ବୋଲି କୁହାଯାଏ । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବା ବେଳେ ତାଙ୍କର ନନ୍ଦିଘୋଷ ରଥ ସହ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଏଠାରେ କିଛି ସମୟ ଅଟକିଥାଏ । ପରମ୍ପରା ଅନୁଯାୟୀ ମାଉସୀ ମା'ଙ୍କ ହାତରେ ତିଆରି ଦିବ୍ୟ ପୋଡ ପିଠା ଖାଇ ମହାପ୍ରଭୁଙ୍କ ସହ ଭାଈଭଉଣୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ସେହି ମନ୍ଦିରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ବୋଲି କିମ୍ବଦନ୍ତୀ ରହିଛି ।