Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗନ୍ତି ଲକ୍ଷ୍ମୀ ଠାକୁରାଣୀ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
କାହିଁକି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗନ୍ତି ଲକ୍ଷ୍ମୀ ଠାକୁରାଣୀ ଜାଣନ୍ତୁ...

Key Points

ଶ୍ରୀମନ୍ଦିରରେ ହେରାପଞ୍ଚମୀ ନୀତି
ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ
ସନ୍ଧ୍ୟା ଆଳତୀ ପରେ ବିମାନ ପଟୁଆରରେ ଯିବେ
ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବେ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି । ବିଧିପରମ୍ପରା ଅନୁସାରେ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର,ବଳିତା,ଚାଉଳରେ ବନ୍ଦାପନା ଇତ୍ୟାଦି କରିବେ।

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ । ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ। ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ।

ହେରାପଞ୍ଚମୀରେ କ'ଣ ହୁଏ ?
ଗତକାଲି ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା' ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ପହଞ୍ଚିବେ । ଏହାପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି ।


କାହିଁକି ରାଗିଛନ୍ତି ମହାଲକ୍ଷ୍ମୀ ?
ଗତ ରୁକ୍ମିଣୀ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଗଇଁଠାଳ ଫିଟି ନଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥିଲେ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଏଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ସେହି କ୍ରମରେ ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମା’ ଲକ୍ଷ୍ମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
find-out-why-goddess-lakshmi-breaks-jagannaths-chariot | Argus News