ପାଟ୍ରୋଲିଂ ବେଳେ ଫରେଷ୍ଟ ଗାର୍ଡଙ୍କ ଉପରକୁ ଫାୟାରିଂ

Key Points
ଢେଙ୍କାନାଳର ହିନ୍ଦୋଳ ରେଂଜରେ ମାତିଛନ୍ତି ଶିକାରୀ
ଫରେଷ୍ଟ ଗାର୍ଡଙ୍କୁ ଶିକାରୀଙ୍କ ହତ୍ୟା
ପାଟ୍ରୋଲିଂ ବେଳେ ଫରେଷ୍ଟ ଗାର୍ଡଙ୍କ ଉପରକୁ ଫାୟାରିଂ
ଗୁରୁତର ଆହତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମେଡିକାଲରେ ମୃତ୍ୟୁ
ଢେଙ୍କାନାଳରେ ମାତିଛନ୍ତି ଶିକାରୀ । ବନ ବିଭାଗ କର୍ମଚାରୀଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ହିନ୍ଦୋଳ ରେଞ୍ଜ କଇ ରିଜର୍ଭ ଫରେଷ୍ଟ ତଣ୍ଟିଚିରା ନିକଟରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହୋଇଥିଲେ ବନ କର୍ମଚାରୀ ଓ ଶିକାରୀ ।
ବେଆଇନ ଭାବେ ଜଙ୍ଗଲ ଭିତରେ ପ୍ରବେଶ କରିଥିବା ଶିକାରୀଙ୍କୁ ପ୍ରତିରୋଧ କରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥଲା । ବନ କର୍ମଚାରୀଙ୍କ ଠାରୁ ବର୍ତ୍ତିବା ପାଇଁ ଶିକାରୀ କରିଥିଲେ ଫାଇରିଂ । ଆଉ ଏହି ଫାଇରିଂର ଶିକାର ହୋଇ ଥିଲେ ୩୭ ବର୍ଷ ବୟସ୍କ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ । ତାଙ୍କ ପେଟରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟୋଲିଂ କରୁଥିବା ବନ କର୍ମଚାରୀ ଚାରି ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ବନ୍ଧୁକ ଜବତ କରାଯାଇଛି ।
ଶିକାରୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ବନ କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିବଙ୍ଗତ ବନ କର୍ମଚାରୀ ପ୍ରହ୍ଲାଦ ପ୍ରଧାନଙ୍କ ପରିବାର କୁ ଅନୁକମ୍ପା ମୂଳକ ୩୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରହ୍ଲାଦଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି , ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅନୁଗୁଳ ଏସପି ଓ ବନ କର୍ମଚାରୀ ସଂଘ ର କର୍ମକର୍ତା ମାନେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ପ୍ରହ୍ଲାଦଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
ପୂର୍ବରୁ ୨୦୨୩ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ଯେତେବେଳେ ଶିକାରୀମାନେ ମାତିଥିଲେ ସେତେବେଳେ କଡା ଆକ୍ସନ ନିଆଯାଇଥିଲା ଜଏଣ୍ଟ ଟାସ୍କଫୋର୍ସ ଗଠନ କରି ବିପୁଳ ପରିମାଣର ବନ୍ଧୁକ ଓ ମାରଣାସ୍ତ୍ର ସହ ଅନେକ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଆଉ ଏବେ ଢେଙ୍କାନାଳରେ ଶିକାରୀଙ୍କୁ ଦମନ କରିବାକୁ କଠୋର ଆଭିମୁଖ୍ୟର ଆବଶ୍ୟକତା ଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ।
