ପାଲିଙ୍କିରେ ବିଜେ ହେଲେ, ସାହି ବୁଲିଲେ ଶ୍ରୀରାମ-ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ

ପୁଣି ବୀର ବାଦ୍ୟରେ କମ୍ପିଲା ଶ୍ରୀକ୍ଷେତ୍ର । ପାହୁଲ ଓ ଠାଣିରେ ମଜିଲେ ସାହି ଭେଣ୍ଡିଆ । ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହୋଇଛି ପୁରୀ ସହର। ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଛି ୭ ସାହି ଓ ୪୨ କନ୍ଦି । କେବଳ ସେତିକି ନୁହେଁ ମଲି ଫୁଲ ମାଳର ବାସ୍ନାରେ ମହକୁଛି ପୁରୁଷୋତ୍ତମ କ୍ଷେତ୍ର ।
ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି । ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି । ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ,ସୀତା,ଭରତ ଶତୃଘ୍ନ ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ। ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ ।
ଏହା ଏକ ଭାଇ ଚାରାର ଉତ୍ସବ । ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ । ସେପଟେ ମାଟିମଣ୍ଡପ ସାହୀରୁ କାଳିକାଦେବୀ ସାହିକୁ ଆଜି ବାହାରିବ ସାହିଯାତ ।
📱 Get Argus News App
✨ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ଵା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି । ଶ୍ରୀରାମନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବାପରେ ଆଜ୍ଞାମାଳ ପାଇ ଶ୍ରୀ ରାମ ଓ ଶ୍ରୀ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଳବ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ୍ଣ ହୋଇଥାଏ ।
ତେବେ କାଳିକାଦେବୀ ସାହିରୁ ବାହାରିଥିବା ସାହିଯାତରେ ରାମ ଓ ଲକ୍ଷ୍ମଣ ସାମିଲ ହୋଇଥିଲେ । ତାପରେ ଜଗନ୍ନାଥ ବଲ୍ଲଭରେ ନୀତି ସମ୍ପୂର୍ଣ୍ଣ ହୋଇଥିଲା । ଆଜି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ବାହାରିବ ସାହିଯାତ । ତେବେ ଚଳିତ ସାହିଯାତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ବୃଦ୍ଧି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।