Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

First Lunar Eclipse / ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ସୁନାବେଶରେ ଦର୍ଶନ ଦେବେ ମହାବାହୁ

Bikash Mohanty
Browse all articles by Bikash Mohanty
·4 months ago·2 min read
ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ସୁନାବେଶରେ ଦର୍ଶନ ଦେବେ ମହାବାହୁ
Lunar Eclipse

Key Points

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ
ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତି

ଆଜି ଦୋଳପୂର୍ଣ୍ଣିମାରେ ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ । ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୬ଟା ୨୦ ମିନିଟ୍‌ରୁ ହେଲା ପାକ ତ୍ୟାଗ ଅର୍ଥାତ ହାଣ୍ଡିଛାଡ଼ । ସନ୍ଧ୍ୟା ୬ଟା ୪୭ ମିନିଟ୍‌ରେ ସର୍ବମୋକ୍ଷ ହୋଇଛି । ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ କରାଯିବ । ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପାଞ୍ଜିରେ ପରାମର୍ଶ ଦିଆଯାଇଛି ।

ତେବେ ବୃଦ୍ଧ, ଶିଶୁ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ଲାଗିବନି ଏହି କଟକଣା । ସନ୍ଧ୍ୟା ୬ଟା ୫୦ ମିନିଟ୍ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନ ଗ୍ରହଣ କରିହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳନୀତି ଏଥର ରାତିରେ ଅନୁଷ୍ଠିତ ହେବ । ଆଜି ଦୋଳପୂର୍ଣ୍ଣିମାରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାବାହୁ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ରାତିରେ ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ । ହେଲେ ଗ୍ରହଣ ପାଇଁ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଓ ମହାପ୍ରସାଦ ସେବନରୁ ଭକ୍ତମାନେ ବଞ୍ଚିତ ହେବେ । ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦ୍ବନ୍ଦ୍ବ ଦେଖାଦେଇଛି । ସେଥିପାଇଁ ଗ୍ରହଣ ଛାଡ଼ିବା ପରେ ଦୋଳନୀତି କରିବାକୁ ପରାମର୍ଶ ଦିଆଯାଇଛି । 

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। ଚନ୍ଦ୍ରଗ୍ରହଣ ପଡିଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାର ଫିଟା, ମଙ୍ଗଳ ଆଳତୀ ପରେ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦକ୍ଷଣ କରିବେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ସାତଘେରା ଲେଖାଏଁ ପ୍ରଦକ୍ଷଣ କରିବା ପରେ ଦୋଳରେ ବସି ଝୁଲିବେ। ଏହାପରେ ଦୋଳବେଦୀରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନୀତି କାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First Lunar Eclipse | First Lunar Eclipse of the Year: Special Rituals at Shree Jagannath Temple Puri | Argus News