ଏକାଠି ହେଲେ ହଜାର ହଜାର ମତ୍ସ୍ୟଜୀବୀ

ଭୁବନେଶ୍ୱର: ହକ୍ ଆଉ ନ୍ୟାୟ ପାଇଁ ଲଢେ଼ଇରେ ରାଜରାସ୍ତାରେ ମତ୍ସ୍ୟଜୀବୀ। ଅନ୍ୟ ମାନଙ୍କ ଭଳି ସେମାନଙ୍କର ମଧ୍ୟ ଅନେକ ଆବଶ୍ୟକତା ରହିଛି। ସକାଳୁ ସଞ୍ଜ ଯାଏ ସମୁଦ୍ର ଲହଡ଼ି ସହ ଲଢେ଼ଇ କରି ମାଛ ଧରିଲେ ମତ୍ସ୍ୟଜୀବିର ପରିବାର ଚଳିଥାଏ। ତେବେ ସରକାରୀ କଟକଣା ହେଉ କି ଅନ୍ୟ କେତେକ ସମସ୍ୟା ପାଇଁ ସେମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ୬ଗୋଟି ପ୍ରମୁଖ ଦାବିକୁ ନେଇ ଆଜି ରାଜଧାନୀର ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବିଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାରାଦୀପ, ଧାମରା ବନ୍ଦର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମତ୍ସ୍ୟଜୀବି ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ମତ୍ସ୍ୟ ଶିଳ୍ପର ଏକମାତ୍ର କଞ୍ଚାମାଲ ଡିଜେଲ ଉପରୁ ଟିକସ ଛାଡ଼, ସମୁଦ୍ର ମୁହାଣର ନିୟମିତ ଡ୍ରେଜିଂ, ସମୁଦ୍ରକୁ ବିଷାକ୍ତ ଜଳ ନିଷ୍କାସନ ଉପରେ ରୋକ୍, କଇଁଛ ସୁରକ୍ଷା ଆଳରେ ମତ୍ସ୍ୟଜୀବି ମାନଙ୍କ ଉପରେ ଅତ୍ୟାଚାର ବନ୍ଦ ସହିତ ମତ୍ସ୍ୟଜୀବି କଲ୍ୟାଣ ପାଣ୍ଠି ଗଠନ କରି ଗରିବ ମତ୍ସ୍ୟଜୀବିଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଏଥିସହିତ ପ୍ରମୁଖ ସମସ୍ୟା ସବୁକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ମତ୍ସଜୀବୀ। ସରକାରୀ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ରହିଛନ୍ତି। ମତ୍ସ୍ୟ ଶିଳ୍ପର ବର୍ତ୍ତମାନ ସ୍ଥିତି ଏବଂ ମତ୍ସ୍ୟଜୀବିଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଏନେଇ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବି। ଆଗାମୀ ଦିନରେ ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ୧୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ରାଜରାସ୍ତାକୁ ଓହ୍ଲାଇବା ସହିତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ବର୍ଗଙ୍କ ପାଇଁ ସହାୟତା ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ ମତ୍ସ୍ୟଜୀବିଙ୍କ ଗୁହାରି କେବେ ଶୁଣିବେ ସରକାର ତାକୁ ଅପେକ୍ଷା।
ଅଧିକ ଦେଖନ୍ତୁ :
