ଜଳକା ଓ ବୈତରଣୀ ନଦୀରେ ବି ବନ୍ୟା ଆଶଙ୍କା

Key Points
ପୁଣି ସୁବର୍ଣ୍ଣରେଖାରେ ଆସିପାରେ ବଡ଼ ବନ୍ୟା
ଜଳକା ଓ ବୈତରଣୀ ନଦୀରେ ବି ବନ୍ୟା ଆଶଙ୍କା
ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଆଲର୍ଟ ରହିବାକୁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଉପରମୁଣ୍ଡରେ ପ୍ରବଳ ବର୍ଷା । ତେଣୁ ବଢ଼ିବାରେ ଲାଗିଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର । ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ । ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପହଞ୍ଚି ସାରିଛି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆଗୁଆ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।
ଚଳିତ ବର୍ଷ ବୈତରଣୀ ନଦୀରେ ଦ୍ବିତୀୟ ଥର ଆସିଛି ବନ୍ୟା ଜଳ । ଆଖୁଆପଦା ନିକଟରେ ବିପଦ ସଙ୍କେତ ଟପିଯାଇଛି ନଦୀର ଜଳସ୍ତର। ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଡାକିଛନ୍ତି ଭଦ୍ରକ ଜିଲ୍ଲାପାଳ । ବୈତରଣୀ ନଦୀ ଫୁଲିଲେ ଜିଲ୍ଲାର ଦୁଇଟି ବ୍ଲକ୍ ଭଣ୍ଡାରିପୋଖରୀ ଓ ଧାମନଗର ବିଶେଷ ପ୍ରଭାବିତ ହେବ । ସେଥିପାଇଁ ଏ ଦୁଇ ବ୍ଲକରେ ଆଗୁଆ ଲୋକଙ୍କୁ ମାଇକ୍ ଯୋଗେ ସଚେତନତା କରିବା ସହ ନିକଟସ୍ଥ ସ୍କୁଲ ଘର ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବ । ଏଥିପାଇଁ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । କେନ୍ଦୁଝର ଆନନ୍ଦପୁର ନିକଟରେ ବି ବିପଦ ସଂକେତ ପାର୍ କରିଛି ବୈତରଣୀ ଜଳସ୍ତର । ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହେବା ବୈତରଣୀ ବିପଦର କାରଣ ପାଲଟିଛି। ଫଳରେ ତଳିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା ।
ସେହିପରି ଜଳକା ନଦୀରେ ଆସିଛି ତୃତୀୟ ବନ୍ୟା । ମଥାନୀଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି । ନଦୀ କୂଳ ଲଂଘିବା ଫଳରେ ୨୫ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛନ୍ତି । ବସ୍ତା ବ୍ଲକର ମଥାନୀ, ବାହାର୍ଦା, କୁଡିଆ, ଦୁଧ ହଂସା, ବାସୁ ଚକୁରାଇ, ଦରଡା, ମୁକୁଳିସି, ସଦାନନ୍ଦପୁର, ବ୍ରାହ୍ମୁଣଦା ଏବଂ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖାଦେଇଛି ।ସେପଟେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ୍ ବଡାମପୁର ନଦୀର ଆଡ଼ିବନ୍ଧ ଭାଙ୍ଗି ଯିବାରୁ ୨ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଚାଷ ପାଇଁ ତଳି ପକାଇଥିବା ବ୍ଲକର ତିନିଟି ପଞ୍ଚାୟତ ରାଘବପୁର, ବଡ଼ାମପୁର ଓ ତୁଟାପୋଡ଼ାର ଶହ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । କେତେକ ସ୍ଥାନରେ ରାସ୍ତା ଧୋଇଯାଇଛି, କେତେକ ଗାଁରେ ପାଣି ପଶିଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବଡ଼ସାହି ବ୍ଲକ୍ ଅଧିନରେ ଥିବା ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀରେ ଜଳସ୍ତର ବଢିବାରେ ଲାଗିଛି । ନଦୀ କୂଳରେ ଥିବା ଆଦିଡିହା ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ଗଙ୍ଗାହାର ନଦୀ ଉପରେ ଥିବା ଖଡିକାପଦା ପୋଲ ଏବଂ ଆଦିଡିହା ପୋଲ ଉପରେ ବି ବନ୍ୟାଜଳ ପ୍ରବାହିତ ହେଉଛି । ନଦୀର ଆଡିବନ୍ଧ ନଥିବାରୁ ନଦୀପାଣି ଚାଷଜମିରେ ପଶି ଏକର ଏକର ଚାଷ ଜମି ନଷ୍ଟ ହୋଇଛି ।ସେପଟେ କେନ୍ଦ୍ରାପଡ଼ାରେ ବନ୍ୟାପାଣିରେ ଭାସି ଆସିଥିବା କୁମ୍ଭୀରକୁ କାବୁ କରିଛନ୍ତି ଗାଁ ଲୋକେ । ରାଜନଗର ବ୍ଲକ ଏଣ୍ଡୁଳାପୁର ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଛି ।
📱 Get Argus News App
✨ସେପଟେ ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର । ଅଧିକ ସଂଖ୍ୟାରେ ଗେଟ୍ ଖୋଲାଯାଇପାରେ । ବର୍ତ୍ତମାନ ମୋଟ ୨୦ଟି ଗେଟ୍ ଯୋଗେ ଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରୁ ସେକେଣ୍ଡକୁ ୪ ଲକ୍ଷ ୨୭ ହଜାର ୫୬୬ କ୍ୟୁଂସେକ ଜଳ ପ୍ରବେଶ କରୁଛି । ସେକେଣ୍ଡ ପ୍ରତି ୩ ଲକ୍ଷ ୩୫ ହଜାର ୭୦୩ କ୍ୟୁସେକ ଜଳ ନିଷ୍କାସନ ହେଉଛି ।