Flood Situation: ବନ୍ୟା ପରିସ୍ଥିତିକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ...

Key Points
ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି ।
ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଏବେ ବି ଚିନ୍ତାଜନକ ରହିଛି ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ସ୍ଥିତି। ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିଥିବାବେଳେ ଶତାଧିକ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରୁ ସାମ୍ନାକୁ ଆସିଛି ଡରାଇବା ଭଳି ଚିତ୍ର। ମୋହନାରେ ବଢ଼ି ପାଣିରେ ପୋଲ ଧୋଇଯାଇଛି । ଯାଜପୁରରେ ମା ସହ ୨୬ ଦିନର ଶିଶୁକୁ ପାଣି ଘେରରୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍। ୟା ଭିତରେ ବଡ଼ ଆଶ୍ବସ୍ତି ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ସେ କହିଛନ୍ତି ଆସନ୍ତାକାଲି ୨ ନଦୀ ବିପଦ ସଂକେତ ତଳକୁ ଖସିବ ।
ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି ରହିଛି । ବନ୍ୟା ଯୋଗୁଁ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି । ଆସନ୍ତାକାଲି ଏହା ବିପଦ ସଂକେତ ତଳକୁ ଆସିବ । ହୀରାକୁଦରେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛ । ରେଙ୍ଗାଲିରେ ଦୁଇଟି ଗେଟ ଖୋଲା ଅଛି । ଆବଶ୍ୟକ ପଡ଼ିଲେ, ରେଙ୍ଗାଲିର ଆଉ ଏକ ଗେଟ ଖୋଲା ହେବ । ତେବେ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ।
ପାଣି ଘେରରେ ବାଲେଶ୍ବର ଜିଲ୍ଲାର ଅଧିକାଂଶ ଅଞ୍ଚଳ । ବାଲିଆପାଳ, ଜଳେଶ୍ବର ଓ ଭୋଗରାଇରେ ଶହ ଶହ ଗାଁରେ ପଶିଛି ବନ୍ୟା ପାଣି। ଧାନ ତଳି ରୁଆ ସମୟରେ ପାଣି ପଶି ଫସଲ ଧୋଇ ଯାଇଛି । ଭୋଗରାଇ ବ୍ଲକର ୬ଟି ପଞ୍ଚାୟତର ୮ ହଜାରରୁ ଅଧିକ ଲୋକ ଜଳବନ୍ଦୀ । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ପାୱାର ବୋଟର ମଧ୍ୟ ବନ୍ଦୋବସ୍ତ କରାଯାଇଛି ।
ବୈତରଣୀ ନଦୀ ଫୁଲି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର କଣ୍ଟି ଘାଇ, ଧାମନଗରର ମଲ୍ଲି ମହାରା ଓ ଗୌରାଙ୍ଗପୁର ଏସକେପ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଛି । ଧାମନଗର ବ୍ଲକ ହସନାବାଦ୍ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ସୋମବାର ଓ ମଙ୍ଗଳବାର ବନ୍ଦ ରଖିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅର୍ଜୁନପୁର, ହସନାବାଦ୍ ଶୋହଡା ଓ ପଧାନି ପଞ୍ଚାୟତର ୨୫ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାରେ ୧୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।
ଯାଜପୁର ଦଶରଥପୁର ଠାରେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । କସପା ପଞ୍ଚାୟତର ଅନେକ ଅଞ୍ଚଳ ପାଣିରେ ବୁଡି ରହିଛି । ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ ଟିମ। ଏହାରି ଭିତରେ ଗୋଟିଏ ପରିବାରର ଲୋକଙ୍କ ସହ ଜଣେ ମାଆ ଓ ୨୬ ଦିନର ଶିଶୁକୁ ଉଦ୍ଧାର କରିଛି ଟିମ।
ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନାରେ ପାଣି ଘେରରେ ଅନେକ ଗାଁ । ଚାନ୍ଦିପୁଟ ପଞ୍ଚାୟତ ବାଙ୍କିଝୁଲା, ଚରିଆପଦା, ଜକରାପଲ୍ଲି, ପେଜପାଣି ଗାଁ ଜଳବନ୍ଦୀ ସ୍ଥିତି । ବଢ଼ି ପାଣିରେ ଧୋଇଗଲା ପୋଲ । କେନ୍ଦୁଝର ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ୱାର୍ଡରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବର୍ଷା କମିଲାଣି, ଆହୁରି ଜଳ ପତନ କମିବ। ଯାଜପୁର ସର୍ବାଧିକ ୪୬ ଗାଁ, ୧୪ ପଂଚାୟତ ପ୍ରଭାବିତ ହୋଇଛି। ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡୁ ଛାଡୁ ମିଳିଯିବ କ୍ଷତିପୂରଣ ।