Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ, ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ, ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି

Key Points

ପ୍ରବଳ ବର୍ଷାରେ ଝାରସୁଗୁଡ଼ାରେ ଜଳ ପ୍ରଳୟ। ରାସ୍ତାରେ ଅଣ୍ଟାଏ ପାଣିରେ ଭାସିଗଲା ଟ୍ରକ, ବାଇକ। ମନ୍ଦିର ଭିତରେ ପାଣିର ସୁଅ ।

ଝାରସୁଗୁଡ଼ାରେ ଜଳ ପ୍ରଳୟ । ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି । କେଉଁଠି ଟ୍ରକ ଭାସିଯାଇଛି, ତ ଆଉ କେଉଁଠି ବାଇକ ସହ ଭାସିଯାଇଥିଲେ ଯୁବକ । ଯାହାଙ୍କୁ ରଶି ସହାୟତାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ବ୍ରଜରାଜନଗର ରାଜପୁର ନିକଟସ୍ଥ ଘୋଡ଼ାଡିହା ନାଳ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ, ଏ ଅଘଟଣ ଘଟିଥିଲା । ମା' ରାମଚଣ୍ଡୀଙ୍କ ମନ୍ଦିରରେ ଇବ ନଦୀର ବନ୍ୟାଜଳ ପଶିଛି । ଜିଲ୍ଲାର ପ୍ରସିଦ୍ଧ କୋଇଲିଘୁଘର ଶୈବପୀଠରେ ବନ୍ୟା ପାଣି ପଶିଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଅନେକ କ୍ଷୟକ୍ଷତି ହୋଇଛି । ଲାଇକେରା ବାଗଡ଼ିହି ମୁଖ୍ୟ ରାସ୍ତାରେ ପିଚୁ ରୋଡ଼ ଧୋଇ ଯିବାରୁ ଯୋଗାଯୋଗ ବିଛିନ୍ନ ହେବା ସହ ଖୁଣ୍ଟାମାଲ ରୁ କୋଲାବିରା ରାସ୍ତାରେ ମଧ୍ୟ ପିଚୁ ଧୋଇ ଯାଇଛି । ତେଣୁ ଏସବୁ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଘରେ ବନ୍ୟାପାଣି ପଶିବା ସହ ଘରକାନ୍ଥ ଭାଙ୍ଗିଯାଇଛି । ସେପଟେ ଲଇକେରାରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।

ସମ୍ବଲପୁର କୁଚିଣ୍ଡାରେ ବାଦଲ ଫଟା ବର୍ଷା ଯୋଗୁ ଘରେ ପଶିଛି ପାଣି । ବର୍ଷାରେ ଜଳ ବନ୍ଦୀ ଆନେକ ଗାଁ । କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ପୋଲ ଉପରେ ୪ରୁ ୫ ଫୁଟ ଉପରେ ପାଣି ଚାଲୁଛି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେହିପରି ନୂଆପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛି ୮ ବର୍ଷର ଶିଶୁ ।

ସେପଟେ ହୀରାକୁଦ ଗେଟ୍ ଖୋଲିଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି । ପୂଜାର୍ଚ୍ଚନା କରାଯାଇ ସକାଳ ୧୦ଟା ୨୦ ମିନିଟରେ ଗେଟ୍ ଖୋଲିଥିଲା । ମୋଟ ୨୦ଟି ଖୋଲାଯାଇଥି । ବନ୍ୟାଜଳ ମୁଣ୍ଡଳୀରେ ପହଂଚିବା ପାଇଁ ୪୦ ଘଣ୍ଟା ଲାଗିବ । ତେବେ ତଳମୁଣ୍ତରେ କୌଣସି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ।

ହୀରାକୁଦ ଗେଟ୍ ଖୋଲିବା ପରେ ସେଚ ସଦନରେ ଉନ୍ନୟନ କମିଶନର ସମୀକ୍ଷା କରିଛନ୍ତି । ବିଭିନ୍ନ ନଦୀର ଜଳ ସ୍ତର ବଢୁଥିବା ବେଳେ ବନ୍ୟା ଆଶଙ୍କା ନେଇ ବିଭାଗୀୟ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ସତର୍କ ରହିବାକୁ ସବୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ସଚିବ ଅନୁ ଗର୍ଗ ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ କେଉଁଝର, ମୟୁରଭଞ୍ଜ,ସୁନ୍ଦରଗଡ଼,ସମ୍ବଲପୁରରେ ଅତ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଜାରି ହୋଇଛି ରେଡ ଆଲର୍ଟ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଏବଂ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
flooding-in-various-places-waist-high-water-on-roads | Argus News