ବନ୍ୟା ଆଣିଛି ଦୁଃଖ, ପାଣିଘେରରେ ହଜାର ହଜାର ଲୋକେ

Key Points
ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ
ପାଣିଘେରରେ ହଜାର ହଜାର ଲୋକେ
ଧାମନଗର ଅନୁଳୁଡିହ ଗାଁରେ ପଶିଛି ବନ୍ୟା ପାଣି
କମୁଛି ନଦୀ ଜଳ, ହେଲେ ବଢୁଛି ଦୁର୍ଦ୍ଦଶା । ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ । ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଦୃଶ୍ୟ। ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୮.୩୩ ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୧୭.୯୭ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି । କିନ୍ତୁ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ସେପଟେ ଧାମନଗର ହସନବାଦ ପଞ୍ଚାୟତ ଅନୁଳୁଡିହ ଗାଁରେ ପଶିଛି ବନ୍ୟା ପାଣି। ପାଣି ଘେରରେ ରହିଛନ୍ତି ଲୋକେ । ଧୂଷୁରୀରୁ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଧାମନଗର ପଧାନୀ ପଞ୍ଚାୟତ ସଇଲ ଗାଁ ନିକଟରେ ବୈତରଣୀର ଶାଖା ନଦୀ କୋଚିଳା ନଦୀରେ ଦୁର୍ବଳ ହୋଇ ରହିଛି ନଦୀ ବନ୍ଧ । ଏନେଇ ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ ରହିଥିବା ବେଳେ ବିଭାଗ ଅଧିକାରୀ ତରଫରୁ ମରାମତି ହୋଇଛି । ସେପଟେ ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା । ବନ୍ୟା ଆଣିଛି ଦୁଃଖ । କାଣୀ ନଦୀରେ ଦଶରଥପୁର ବ୍ଲକ ଅହିୟାସ ପଞ୍ଚାୟତର ବଙ୍ଗାଳାବାଡିରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ୨୦ଟି ପଞ୍ଚାୟତ ଏବଂ ଯାଜପୁର ବ୍ଲକର ଗୋଟିଏ ପଞ୍ଚାୟତ ଜଳବନ୍ଦୀ ହୋଇଛି । ଦଶରଥପୁର ବ୍ଲକର କଷପା, ମଲିକାପୁର, ତରପଦା, ସୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, କୟାଁ, କମରଡିହ, ଖାନନଗର, ଛଚିଣା, ମଙ୍ଗଳପୁର, ଯୟନ୍ତରା, କଟିକଟା ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି ।
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହି ୨୧ଟି ପଞ୍ଚାୟତର ୧୮ ହଜାର ୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୬ ହଜାର ୧୯୧ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ୧୪ଟି ରିଲିଫ ସେଣ୍ଟର ଖୋଲା ଯାଇ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଆମ୍ବୁଲାନ୍ସ ସହିତ ୨ଟି ମେଡିକାଲ ଟିମ୍ ଓ ୯ଟି ଭେଟନାରୀ ଟିମ୍ ନିୟୋଜିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ୍ ଓ ଗୋଟିଏ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: