ଗଦାପୁର ନଦୀରେ ବନ୍ୟାଜଳ, ଜଳବନ୍ଦୀରେ ୧୧ ଖଣ୍ଡ ଗ୍ରାମବାସୀ

Key Points
୧୧ ଖଣ୍ଡ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି
ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି
ନଦୀ ଉପରେ ପୋଲଟିଏ ମଧ୍ୟ ନିର୍ମାଣ ହୋଇପାରିନି
ବର୍ତ୍ତମାନ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଗରଡ଼ମା ପଞ୍ଚାୟତ ଅନ୍ତର୍ଗତ ରାଜଖମା ଗ୍ରାମ ଦେଇ ଯାଇଥିବା ଗଦାପୁର ନଦୀ ରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ଆର ପାରିରେ ଥିବା ୧୧ ଖଣ୍ଡ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି l ଯାହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅଞ୍ଚଳ ବାସୀ l ଶିକ୍ଷକ ଛାତ୍ରଛାତ୍ରୀ ଏପରିକି ସାଧାରଣ ଲୋକେ ବନ୍ୟା ଜଳର ଭରା ପାଣିରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।
ନଦୀ ଆର ପାରିରେ ଥିବା କୁମ୍ଭାରପଦା, ରାମସିଂ, ଗୁରିମେରା, ବେତେଗଣ୍ଡା, ବାମୁଦିପଦା, ଚିଡାଙ୍ଗପଙ୍ଗା, କୁଟି ପଦର, ଗୁରୁଝୋଳି, ବାଲିବନ୍ଧ, ଗାଙ୍ଗୁଡ଼ିପଙ୍କାଳ ଗ୍ରାମରେ ୧୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିବା ବେଳେ ପ୍ରବଳ ବର୍ଷା ଏବଂ ନଦୀରେ ପ୍ରବାହିତ ବନ୍ୟାଜଳ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ଗଭୀର ପ୍ରଭାବ ପକାଉଛି। ଏପରିକି ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଗକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ଯାହାର ପ୍ରଭାବରେ ଉପରୋକ୍ତ ଅଞ୍ଚଳର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି l ପ୍ରତ୍ୟେକ ବର୍ଷ ଏହି ବର୍ଷା ଦିନରେ ଲୋକେ ଏଭଳି ସମସ୍ୟା ଭୋଗୁଥିଲେ ମଧ୍ୟ ପୂର୍ବ ସରକାର ଏହାର ସ୍ଥାୟୀ ନିରାକରଣ ନିମନ୍ତେ ଉକ୍ତ ନଦୀ ଉପରେ ପୋଲ ଟିଏ ମଧ୍ୟ ନିର୍ମାଣ କରି ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।