ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ସହ ଲଢେଇ କରୁଛନ୍ତି ପୀଡିତା

Key Points
କାହିଁକି ଆତ୍ମାହୁତି ଉଦ୍ୟମ କଲେ FM କଲେଜ ଛାତ୍ରୀ ?, ହେବ ତଦନ୍ତ
ଉଚ୍ଚ ଶିକ୍ଷା ବିଭାଗର ୩ ଜଣିଆ ଉଚ୍ଚସ୍ତରୀୟ କମିଟି କରିବ ତଦନ୍ତ
କଲେଜ କର୍ତ୍ତୃପକ୍ଷ ଓ HODଙ୍କ ଭୂମିକାକୁ ନେଇ ହେବ ଖୋଳତାଡ଼ା
ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ପୀଡ଼ିତାଙ୍କ ସଂଘର୍ଷ । ଭୁବନେଶ୍ୱର ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା । ଚିକିତ୍ସା ପାଇଁ ଆବଶ୍ୟକ ପଡିଲେ ଏୟାରଲିଫ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି ସରକାର । ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏ ନେଇ AIIMS ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରୀଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ସେପଟେ କାହିଁକି ଆତ୍ମାହୁତି ଉଦ୍ୟମ କଲେ FM କଲେଜ ଛାତ୍ରୀ ?, ହେବ ତଦନ୍ତ । ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ।
କମିଟିରେ ଉଚ୍ଚଶିକ୍ଷା ବିଭାଗର ନର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ, ପ୍ରଫେସର ଡ. ଝୁମକି ରଥ ସଦସ୍ୟ ରହିଛନ୍ତି । କଲେଜ କର୍ତ୍ତୃପକ୍ଷ ଓ HODଙ୍କ ଭୂମିକାକୁ ନେଇ ତଦନ୍ତ କରାଯିବ । ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ତଥା ଏଜୁକେସନ ବିଭାଗର ନିଲମ୍ବିତ HOD ସମୀର ସାହୁଙ୍କ କଣ ଭୂମିକା ଥିଲା, କଲେଜ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କର କଣ ଭୂମିକା ଥିଲା ତାକୁ ନେଇ ଖୋଳତାଡ଼ ହେବ । ବ୍ୟକ୍ତିଗତ କିମ୍ବା କର୍ତ୍ତୃପକ୍ଷଙ୍କ ସ୍ତରରେ କେଉଁଠି ଭୁଲ୍ ରହିଲା ତର୍ଜମା ହେବ ।