FM କଲେଜ ଛାତ୍ରୀ ମୃତ୍ୟୁ: ସଂସଦ ଘେରିବାକୁ ଚେତାବନୀ ଦେଲା କଂଗ୍ରେସ

Key Points
ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଜୋର ଧରିଛି ରାଜନୀତି ।
ରାଜଧାନୀରୁ ନେଇ ବାଲେଶ୍ୱର ଯାଏଁ ରାସ୍ତାକୁ ଓହ୍ଲାଇଛି ବିଜେଡି ।
ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ଦଳ। ଆଜି ଭୁବନେଶ୍ବରରେ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେଡି କର୍ମୀ। ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଜେଡି କର୍ମୀଙ୍କ ଉପରକୁ ଟିୟର ଗ୍ୟାସ୍ ଓ ପାଣି ମାଡ଼ କରିଛି ପୋଲିସ।
ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଜୋର ଧରିଛି ରାଜନୀତି । ରାଜଧାନୀରୁ ନେଇ ବାଲେଶ୍ବର ଯାଏଁ ରାସ୍ତାକୁ ଓହ୍ଲାଇଛି ବିଜେଡି। ଭୁବନେଶ୍ବରରେ ଲୋକସେବା ଭବନ ଘେରାଉ ଉଦ୍ୟମ କରି ଉଗ୍ର ହୋଇଥିଲେ ବିଜେଡି କର୍ମୀ । ଦୀର୍ଘ ସମୟ ଧରି ପୋଲିସ ଓ ବିଜେଡି କର୍ମୀଙ୍କ ଭିତରେ ହୋଇଥିଲା ଧସ୍ତାଧସ୍ତି ସ୍ଥିତି। ପୋଲିସ କମିଶନର କହିଛନ୍ତି ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାରୁ ଟିୟର ଗ୍ୟାସ୍ ଓ ପାଣି ମାଡ଼ କରାଯାଇଛି । କିଛି ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । କେତେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେପଟେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି ।
ସେପଟେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ମୃତ ଛାତ୍ରୀଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେପଟେ ରାହୁଲଙ୍କ ପୋଷ୍ଟର ଜବାବ ରଖିଛନ୍ତି, ବିଜେପି ବିଧାୟକ ମାନସ ଦତ୍ତ । କହିଛନ୍ତି, ରାହୁଲ ଆଉ କଂଗ୍ରେସ ଛାତ୍ରୀଙ୍କ ପରିବାରକୁ କ୍ଷମା ମାଗିବା ଉଚିତ । ଇତିଶ୍ରୀ, ବେବିନା, ରୁଚିକା, ସ୍ମିତାରାଣୀ ବେଳର ତଦନ୍ତ କଥା ଉଠାଇ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବାଲେଶ୍ବର ବିଧାୟକ।
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଜ୍ୟର ବିଭିନ୍ନ କଲେଜରେ ହୋଇଛି ଛାତ୍ର ଆନ୍ଦୋଳନ। ଭୁବନେଶ୍ବର ବାଣୀବିହାର ଆଗରେ ଜୋରଦାର ବିକ୍ଷୋଭ କରିଛି ଏବିଭିପି। ଶନିବାର ପିଡୀତା ଆତ୍ମହୂତି ଉଦ୍ୟମ ପରେ ତୁରନ୍ତ ଏଚଓଡି ସମୀର ସାହୁ ଗିରଫ ହୋଇଥିଲେ । ପରେ ଅଧ୍ୟକ୍ଷ ଦିଲୀପ ଗୋଷଙ୍କୁ ଗିରଫ କରିଥିଲା ପୋଲିସ। ମାମଲାରେ ନୂଆ ଧାରା ଯୋଡା ଯାଇ ତଦନ୍ତ ଚାଲିଛି ।