ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଗୃହରେ ଖୋଲିଲା ବିଜେଡି ଗୁମର

Key Points
- ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ
- ପ୍ରଶ୍ନ କାଳରେ ସରଗରମ ଆଲୋଚନା
- ଏଣିକି ପଲ୍ଲିସଭା ଓ ଗ୍ରାମସଭାକୁ ଦିଆଯିବ ଗୁରୁତ୍ଵ
ଅର୍ଗସ ବ୍ୟୁରୋ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ । ପ୍ରସଙ୍ଗକୁ ନେଇ ଗୃହରେ ହେଲା ସରଗରମ ଆଲୋଚନା । ଏହି ଆଲୋଚନା ସମୟରେ କିନ୍ତୁ ପୂର୍ବ ସରକାରର ପୋଲ ଖୋଲିଦେଇଛନ୍ତି ମନ୍ତ୍ରୀ । କେମିତି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର କାମ ହେଉଥିଲା ତାହାର ସତ ସାମ୍ନାକୁ ଆଣିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡିଶା ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । ତେଣୁ ବାକି ଥିବା ୬୦ ପ୍ରତିଶତ କାମ ପୂରା ହେବ ।
ଯୋଜନା କରି କେମିତି ଭୋଟ ନିଆଯାଏ ତାହା ବିଜେଡିଠୁ ଅଧିକ କେହି ଜାଣିନଥିବେ । ସେଇଥି ଲାଗି ମାଳମାଳ ଯୋଜନା କରି ପକେଟ୍ ଗରମ କରୁଥିଲେ ଜଣେ ନେତା । ଚଳାଉଥିଲେ ଏକଛତ୍ରବାଦ ଶାସନ । ସୂଚନା ଅନୁସାରେ, ପଲିସଭା ଓ ଗ୍ରାମସଭାର କ୍ଷମତାକୁ ବିଜେଡି ସରକାର ମାନିନଥିଲେ । ମନଇଚ୍ଛା ନିଜ ଲୋକଙ୍କୁ କାମ ଦେଇ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିଲେ । ହେଲେ ସରକାର ବଦଳିବା ପରେ ମୋହନ ସରକାର ପୁଣି ଥରେ ପଲ୍ଲୀସଭା ଗ୍ରାମ ସଭାକୁ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି । ବିଧାନସଭାରେ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ହିଁ ସର୍ବେସର୍ବା ଥିଲେ ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା । ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାମରେ ଲାଗିଥିଲା ଆମ ଓଡ଼ିଶା ନବୀନ ଓଡିଶା ଟଙ୍କା । ଯେଉଁଥି ପାଇଁ ବିକାଶ ମୂଳକ କାମ ହୋଇପାରୁ ନଥିଲା । ହେଲେ ଏବେ କେଉଁ ଅଂଚଳରେ କେତେ କାମ ଅଟକି ରହିଛି ତାହାର ହିସାବ ମଗାଯାଇଛି । ରିପୋର୍ଟ ଆସିବା ପରେ ଆକ୍ସନ ନିଆଯିବ ।
ସେପଟେ କାମ ଅଟକିଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିରୋଧୀ ବିଜେଡି । କହିଛି, ଶାସକ ଦଳର ନିର୍ଦ୍ଦେଶ ପରେ ହିଁ ଅଟକି ରହିଛି ଆମ ଓଡ଼ିଶା ନବୀନ ଓଡ଼ିଶା କାମ । କୋଭିଡ ସମୟରେ ପୂର୍ବ ସରକାର ହିଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । କିନ୍ତୁ ଆମ ଓଡିଶା ନବୀନ ଓଡିଶା କାମ ବେଳେ ସରପଞ୍ଚଙ୍କ କ୍ଷମତାକୁ ଗୌଣ କରି ଅଫିସରଙ୍କୁ ପାୱାରଫୁଲ କରିଥିଲେ ସରକାର। ଏବେ କିନ୍ତୁ ଜନ ପ୍ରତିନିଧି କ୍ଷମତାର ଅଧିକାରୀ ବୋଲି କହିଥିଲେ ମନ୍ତ୍ରୀ । ଏହାସହ ରାଜ୍ୟରେ ଖୁବଶୀଘ୍ର ପେଶା ଆଇନ ଲାଗୁ କରିବା ସହ ସରପଞ୍ଚଙ୍କର ଥିବା ୨୨ ଟି କ୍ଷମତା ସେମାନେ ପ୍ରୟୋଗ କରିବେ।
📱 Get Argus News App
✨ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କେତେ କାମ ହୋଇଛି, ତାହାର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଜୁଲାଇ ସୁଦ୍ଧା ରିପୋର୍ଟ ଅନୁଯାୟୀ ୯୦୬୨୪ ମଞ୍ଜୁରୀପ୍ରାପ୍ତ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପରୁ ୯୧୯୮ ପ୍ରକଳ୍ପର କାମ ଆଦୌ ଆରମ୍ଭ ହୋଇନି । ଏହି ତଥ୍ୟ ଅନଲାଇନରେ ବି ମିଳୁନି । ଏହାର ଯାଞ୍ଚ କରିବା ସହ ସେପ୍ଟେମ୍ବର ୬ ସୁଦ୍ଧା କାମ ଆରମ୍ଭ ହୋଇ ନଥିବା ପ୍ରକଳ୍ପର ତାଲିକା ପ୍ରଦାନ କରିବାକୁ ସମସ୍ତ ଜିଲ୍ଲପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗ । ତେବେ ସମୟ କହିବ କେବେ ପୁଣି ଥରେ ଆରମ୍ଭ ହୋଇଛି କାମ ।