Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sensus / ଖାତା କଲମ ନୁହେଁ, ଏଥର ମୋବାଇଲ ଆପ୍‌ରେ ଜନଗଣନା

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଖାତା କଲମ ନୁହେଁ, ଏଥର ମୋବାଇଲ ଆପ୍‌ରେ ଜନଗଣନା

Key Points

୨୦୧୧ରେ ହୋଇଥିବା ଜନଗଣନାରୁ ଭାରତରେ ଜନସଂଖ୍ୟା ୧୨୧ କୋଟି ବୋଲି ଜଣାପଡ଼ିଥିଲା।
ସେତେବେଳେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୭.୭% ରହିଥିଲା।

ଜନଗଣନାରୁ ଜନକଲ୍ଯାଣ । ୨୦୨୭ରେ ସାରା ଦେଶରେ ହେବ ଜନଗଣନା । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ । ଗାଁ ଗାଁ ବୁଲି ଶିକ୍ଷକ କରିବେ ପ୍ରାକ୍‌ ଜନଗଣନା । ସେଥିପାଇଁ ସେମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଡିଜିଟାଲ ଟ୍ରେନିଂ । କାରଣ ଏଥର ଆଉ ମାନୁଆଲି ନୁହେଁ ବରଂ ଡିଜିଟାଲି ହେବ ଜନଗଣନା । ତେବେ ଏନେଇ ଭୁବନେଶ୍ୱରସ୍ଥିତ BMC ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର ସେମିନାର । କେବଳ ଭୁବନେଶ୍ୱର ନୁହେଁ, କଟକ-ମୟୁରଭଞ୍ଜ-ନବରଙ୍ଗପୁରରେ ବି ସୋମବାରଠୁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହା ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ସାମିଲ ଅଛନ୍ତି ଗଣନାକାରୀ ଓ ସୂପରଭାଇଜର ।

ରାଜ୍ୟର ୪ଟି ସ୍ଥାନରେ ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ହେବ ପ୍ରାକ୍ ଜନଗଣନା। ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡାରେ ହେବ ପ୍ରାକ୍ ଜନ ଗଣନା। ଆମ ରାଜ୍ୟ ଭଳି ସାରା ଦେଶରେ ହେବାକୁ ଯାଉଛି ପ୍ରାକ୍ ଜନ ଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ ଏହି ଜନଗଣନାରେ ସାମିଲ ହେବେ । ସେମାନଙ୍କୁ ମୋବାଇଲ ଆପ ମାଧ୍ୟମରେ କେମିତି ଜନଗଣନା କରିବେ ସେନେଇ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା, ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ, ସାମାଜିକ ଓ ଅର୍ଥନୈତିକ ସୂଚନା ରହିବ।

ଏଥର ଜନଗଣନାରେ ଜାତି ଓ ଉପଜାତି ତଥ୍ୟ ମଧ୍ୟ ରହିବ ବୋଲି ଜଣାପଡ଼ିଛି। ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ କଂଗ୍ରେସ ଓ ଅନ୍ୟାନ୍ୟ ଅନେକ ଦଳ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା। ନିକଟରେ କଂଗ୍ରେସ ଶାସିତ କର୍ଣ୍ଣାଟକା ନିଜସ୍ୱ ଜାତିଭିତ୍ତିକ ଜନଗଣନା କରିଥିଲା। ତେବେ ଏହାକୁ ଭୋକ୍କାଲିଗା ଓ ଲିଙ୍ଗାୟତ ଜାତିର ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସର୍ଭେରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ।

ସାଧାରଣତଃ ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ଦେଶରେ ଶେଷ ଜନଗଣନା ୨୦୧୧ରେ ହୋଇଥିଲା। ୨୦୨୧ରେ ପୁଣି ଜନଗଣନା ହୋଇଥା’ନ୍ତା। କିନ୍ତୁ କୋଭିଡ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଦୀର୍ଘ ୧୬ ବର୍ଷ ପରେ ୨୦୨୭ରେ ଦେଶରେ ପରବର୍ତ୍ତୀ ଜନଗଣନା ହେବ ବୋଲି ସୂଚନା ମିଳିଛି।

୨୦୧୧ରେ ହୋଇଥିବା ଜନଗଣନାରୁ ଭାରତରେ ଜନସଂଖ୍ୟା ୧୨୧ କୋଟି ବୋଲି ଜଣାପଡ଼ିଥିଲା। ସେତେବେଳେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୭.୭% ରହିଥିଲା।

ଆସନ୍ତା ୧ ଜାନୁୟାରୀ ୨୦୨୬ରୁ ଆରମ୍ଭ ହେବ ସମଗ୍ର ଭାରତ ବର୍ଷରେ ସୀମା ନିର୍ଦ୍ଦାରଣ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବ ଗୃହ ତାଲିକା ପ୍ରସ୍ତୁତି ଓ ଗୃହଗଣନା ପାଇଁ ଘରକୁ ଘର ପରିଦର୍ଶନ । ଫେବୃୟାରୀ ୨୦୨୭ରେ ହେବ ଜନଗଣନା ପାଇଁ ଘରକୁ ଘର ପରିଦର୍ଶନ । ଆଉ ଶେଷରେ ଏପ୍ରିଲ ୨୦୨୭ରେ ପ୍ରାରମ୍ଭିକ ଜନସଂଖ୍ଯା ଉନ୍ମୋଚନ ହେବା ନେଇ ଭାରତ ସରକାର ଲକ୍ଷ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sensus | For first-ever digital Census in 2027 | Argus News